ନ୍ୟୁଜ ଡେକ୍ସ : ରାଜ୍ୟରେ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବା ସହ ଗରମର ପ୍ରଭାବ ସ୍ପଷ୍ଟ ହେବାକୁ ଆରମ୍ଭ କରିଛି। ବୁଧବାର ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ରାଜ୍ୟର ୧୯ଟି ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ସ୍ଥାନରେ ୩୧ ଡିଗ୍ରୀ ସେଲସିୟସ ଉପରକୁ ପହଞ୍ଚିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଓ ପାରାଦୀପରେ ୩୧.୪ ଡିଗ୍ରୀ, ଭଦ୍ରକ ଓ ପାରଳାଖେମୁଣ୍ଡିରେ ୩୧.୨ ଡିଗ୍ରୀ, ଅନୁଗୁଳରେ ୩୧.୧ ଡିଗ୍ରୀ, ଜଗତସିଂହପୁରରେ ୩୧ ଡିଗ୍ରୀ, ସମ୍ବଲପୁରରେ ୩୦.୮ ଡିଗ୍ରୀ ଓ ପୁରୀରେ ୩୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଦିନରେ ମାତ୍ର ନୁହେଁ, ରାତି ତାପମାତ୍ରା ମଧ୍ୟ ଗତ କିଛି ଦିନ ଧରି ବୃଦ୍ଧି ପାଇଛି। ଗତ ୪ ଦିନ ମଧ୍ୟରେ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ୩ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି। ମଙ୍ଗଳବାର ରାତିରେ ଜି.ଉଦୟଗିରିରେ ୫.୮ ଡିଗ୍ରୀ, ସେମିଳିଗୁଡ଼ାରେ ୭.୬ ଡିଗ୍ରୀ ଓ ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।ଗରମ ବଢ଼ୁଥିବାରୁ ଲୋକମାନେ ଦିନରେ ଧୂପରୁ ସତର୍କ ରହିବା ସହ ପର୍ଯ୍ୟାପ୍ତ ପାଣି ପିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

