ନ୍ୟୁଜ ଡେକ୍ସ: ସାମ୍ବାଦିକଙ୍କୁ ମିଳିବା ଦରକାର ପେନସନ। ଏନେଇ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଥିଲେ ମଧ୍ୟ ଆମ ରାଜ୍ୟରେ ତାହା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ତେଣୁ ସେ ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ବିଜେଡି ବିଧାୟକ ଶ୍ରୀ ଦାସ କହିଛନ୍ତି।
ସେ କହିଛନ୍ତି ପୂର୍ବ ସରକାର ସମୟରେ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ହେଲେ ଏଥିରେ ସାମ୍ବାଦିକଙ୍କ ବାପା, ମା’ଙ୍କୁ ସାମିଲ କରାଯାଇନାହିଁ। ଏ ସରକାର ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମାରେ ବାପା-ମାଆଙ୍କୁ ସାମିଲ କରନ୍ତୁ।ଏଥି ସହିତ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଦେଶର ୧୭ ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ କରାଯାଇଛି। ଓଡ଼ିଶାରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଉ। ଏଥି ସହିତ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଅନ୍ତୁ ସରକାର।
ପ୍ରେସ ଏକଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯାଉ। ବେଳେ ବେଳେ ବି ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି। ଯାହା ପାଇଁ ଖବର ସଂଗ୍ରହରେ ବାଧା ମଧ୍ୟ ଉପୂଜୁଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ପ୍ରସାରଣ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ ଗୌତମ ବୁଦ୍ଧ ଦାସ।