Sat. Feb 21st, 2026

ନ୍ୟୁଜ ଡେକ୍ସ : ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ୱର ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ଅନୁ ଗର୍ଗ ଓ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ସ୍ୱାଗତ କରିଥିଲେ।

ବିମାନବନ୍ଦରରୁ ସେ କଡା ସୁରକ୍ଷା ବଳୟରେ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିଥିଲେ।ଆଜି ରାଷ୍ଟ୍ରପତି ପ୍ରଥମେ ଯାଜପୁର ଗସ୍ତ କରି ସେଠାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବେ। ପରେ ନାଭିଗୟାରେ ପିଣ୍ଡଦାନ କରି ଧାର୍ମିକ ରୀତିନୀତି ପାଳନ କରିବେ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଯାଜପୁର ଗସ୍ତ କରୁଥିବାରୁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ଯାଜପୁର ଗସ୍ତ ପରେ ମହାମହିମ ବାଲେଶ୍ୱର ଯାଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ସେଠାରେ ଦୀକ୍ଷାନ୍ତ ଭାଷଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବେ। ଏହି କାର୍ଯ୍ୟକ୍ରମକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କରାଯାଇଛି। ସନ୍ଧ୍ୟାରେ ରାଷ୍ଟ୍ରପତି ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଠାରେ ଆଳତୀ ଦର୍ଶନ ସହ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ସହରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନ ତତ୍ପର ରହିଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଓଡ଼ିଶା ଗସ୍ତକୁ ନେଇ ସାରା ରାଜ୍ୟରେ ଉତ୍ସାହ ଓ ଆଗ୍ରହ ଦେଖାଯାଉଛି।

Leave a Reply

Your email address will not be published. Required fields are marked *