ନ୍ୟୁଜ ଡେକ୍ସ :ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାର ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୨.୧୯ ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନ ପଞ୍ଜିକୃତ ହୋଇ ସଡ଼କରେ ଚାଲୁଥିବା ସୂଚନା ମିଳିଛି। ଏନେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି।
ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥା ଏପର୍ଯ୍ୟନ୍ତ ୬୮୦ଟି ବୈଦ୍ୟୁତିକ ଯାନ କ୍ରୟ କରିଛନ୍ତି। ଇଭିର ବ୍ୟାପକ ଗ୍ରହଣକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ବର୍ଗ ଅଧୀନରେ ସରକାର ୩୪୦.୯୫ କୋଟି ଟଙ୍କା ପ୍ରୋତ୍ସାହନ ଦେଇଛନ୍ତି।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱରରେ ବର୍ତ୍ତମାନ ୧୨ଟି ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ୍ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି।
ଆଗାମୀ ଦିନରେ ନୂତନ ବୈଦ୍ୟୁତିକ ଯାନ ନୀତିକୁ ସରକାରୀ ଅନୁମୋଦନ ମିଳିବା ପରେ ଇଭି ଚାଲକ ଏବଂ କ୍ରେତାମାନଙ୍କ ପାଇଁ ଅଧିକ ସୁବିଧା ଓ ପ୍ରୋତ୍ସାହନ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାରେ ପରିବେଶ ସୁରକ୍ଷା ଏବଂ ଦୃଢ଼ ଯାତାୟାତ ପ୍ରଣାଳୀ ଗଢ଼ିବା ଦିଗରେ ଇଭି ପ୍ରଚଳନାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

