ନ୍ୟୁଜ ଡେକ୍ସ : ଆସନ୍ତା ଏପ୍ରିଲ ୨ରେ ଖାଲି ହେବାକୁ ଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ ସୂଚନା ପ୍ରକାଶ ପାଇଛି। ଏହାସହ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦୁଇଜଣ ପ୍ରାର୍ଥୀ ନାମାଙ୍କନପତ୍ର ନେଇଥିବାବେଳେ ଜଣେ ପ୍ରାର୍ଥୀ ଏହା ଦାଖଲ କରିଛନ୍ତି। ସେହେଲେ ହାଇଦ୍ରାବାଦର କାନ୍ତେ ସୟନ୍ନା।
ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିସନ ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଏବଂ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରିଛନ୍ତି। ଶ୍ରୀ ରାଉତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଧାନସଭାର ତଳ ମହଲା ସମ୍ମିଳନୀ କକ୍ଷରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଫର୍ମ ଉପଲବ୍ଧ ହେବ।ମାର୍ଚ୍ଚ ୫ ସୁଦ୍ଧା ଯେକୌଣସି କାର୍ଯ୍ୟଦିନରେ ପ୍ରାର୍ଥୀ ନିଜେ କିମ୍ବା ତାଙ୍କ ପ୍ରସ୍ତାବକ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୬ ତାରିଖ ପୂର୍ବାହ୍ଣ ୧୧ଟା ୩୦ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୯ରେ ଅପରାହ୍ଣ ୩ଟା ପୂର୍ବରୁ ପ୍ରାର୍ଥିତ୍ୱ ପ୍ରତ୍ୟାହାର ପାଇଁ ନୋଟିସ୍ ଦାଖଲ କରିହେବ।
ଯଦି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୁଏ, ତେବେ ମାର୍ଚ୍ଚ ୧୬ରେ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଧାନସଭାର କମିଟି ପ୍ରକୋଷ୍ଠ ନଂ-୫୪ରେ ଭୋଟ୍ ଗ୍ରହଣ ହେବ। ସନ୍ଧ୍ୟା ୫ଟାରେ ଭୋଟ୍ ଗଣନା କରାଯାଇ ଫଳାଫଳ ଘୋଷଣା ସହ ନିର୍ବାଚିତ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ମାର୍ଚ୍ଚ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ।ନାମାଙ୍କନପତ୍ର ଦାଖଲ ପାଇଁ ଆଉ ୭ ଦିନ ସମୟ ଥିବାବେଳେ ମଝିରେ ୪ ଦିନ ସରକାରୀ ଛୁଟି ରହିଛି। ତେଣୁ ଫେବ୍ରୁଆରି ୨୭, ମାର୍ଚ୍ଚ ୨ ଓ ୫ ତାରିଖରେ କେଉଁ ଦଳରୁ କିଏ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବେ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
ଅନ୍ୟପକ୍ଷରେ ବିଜେପି ୩ଟି ଆସନ, ବିଜେଡି ୨ଟି ଓ କଂଗ୍ରେସ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେବାକୁ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ଚତୁର୍ଥ ଆସନ ପାଇଁ କୌଣସି ଏକକ ଦଳ ପାଖରେ ପର୍ଯ୍ୟାପ୍ତ ଭୋଟ୍ ନଥିବାରୁ ଏହାକୁ ଜିତିବା ପାଇଁ ବିଜେପି-ବିଜେଡି, ବିଜେଡି-କଂଗ୍ରେସ କିମ୍ବା ବିଜେପି-କଂଗ୍ରେସ ମଧ୍ୟରେ ସମୀକରଣ ଉପରେ ଫଳାଫଳ ନିର୍ଭର କରିବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି।

