Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ପୁରୀ ଜିଲ୍ଲାର ବିଶ୍ୱପ୍ରସିଦ୍ଧ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ସେଠାକାର କାରିଗରମାନଙ୍କ ସହ ଆଲୋଚନା କରିଥିଲେ। ଏଠାରେ ପ୍ରସ୍ତୁତ ନିଖୁଣ ପଟ୍ଟଚିତ୍ର, ଟସର ଓ କାଠ ଶିଳ୍ପ ସହିତ ଅନ୍ୟାନ୍ୟ କଳାକୃତି ଦେଖି ସେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ।

ରଘୁରାଜପୁରର ଶିଳ୍ପୀମାନେ ଶହଶହ ବର୍ଷର ଭାରତୀୟ ସଂସ୍କୃତି, ପରମ୍ପରା ଓ ଲୋକକଥାକୁ ପଟ୍ଟଚିତ୍ର ଓ ଅନ୍ୟାନ୍ୟ କଳାକୃତି ମାଧ୍ୟମରେ ଜୀବନ୍ତ ରଖିଛନ୍ତି, ଯାହାର ଯେତେ ପ୍ରଶଂସା କଲେ କମ୍ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ସେ ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କୁ ରଘୁରାଜପୁର ଆସି ଏଠାର ଅନନ୍ୟ କଳାକୃତି ଦେଖିବାକୁ ଅନୁରୋଧ କରିଛନ୍ତି। ଏହାସହ ରଘୁରାଜପୁରରେ କୁନିକୁନି ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ଗୋଟିପୁଅ ନୃତ୍ୟ ଦେଖି ସେ ଅଭିଭୂତ ହୋଇଥିଲେ। ରଘୁରାଜପୁରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ପ୍ରତୀକ କୁମାର ସିଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଟ୍ଟଚିତ୍ର ଓ ଅନ୍ୟାନ୍ୟ କଳାକୃତି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ଭୁବନେଶ୍ୱର ଫେରିବା ପଥରେ ମୁଖ୍ୟ ନିର୍ବାଚନ କମିଶନର ଧଉଳି ଶାନ୍ତିସ୍ତୁପ ଓ ସେଠାରେ ଥିବା ଶିଳାଲେଖ ପରିଦର୍ଶନ କରି ବୌଦ୍ଧ ସଂସ୍କୃତି ଓ ଏହାର ଇତିହାସ ସମ୍ପର୍କରେ ବୌଦ୍ଧ ସନ୍ୟାସୀଙ୍କଠାରୁ ଅବଗତ ହୋଇଥିଲେ। ଶାନ୍ତିସ୍ତୁପରୁ ଦୟା ନଦୀ ଓ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚମତ୍କାର ବୋଲି ସେ କହିଥିଲେ। ଭାରତ ଶାନ୍ତି ଓ ମୈତ୍ରୀର ଦେଶ, ଧଉଳି ଶାନ୍ତିସ୍ତୁପରୁ ଶାନ୍ତିର ବାର୍ତ୍ତା ସମଗ୍ର ବିଶ୍ୱକୁ ଆହୁରି ବ୍ୟାପିବ ବୋଲି ସେ କାମନା କରିଥିଲେ। ଅପରାହ୍ନରେ ସେ ଉଦୟଗିରି ପାହାଡ଼ ଓ ସେଠାରେ ଥିବା ପ୍ରାଚୀନ ଗୁମ୍ଫାଗୁଡ଼ିକ ପରିଦର୍ଶନ କରିଥିଲେ। ପ୍ରାୟ ୨ ହଜାର ବର୍ଷ ପୂର୍ବରୁ ଆମ ପୂର୍ବପୁରୁଷମାନେ ଏଭଳି ସୁନ୍ଦର ଓ ନିଖୁଣ କାରୁକାର୍ଯ୍ୟ ସୃଷ୍ଟି କରିଥିବା ଆଶ୍ଚର୍ଯ୍ୟ ଓ ଗୌରବର ବିଷୟ ବୋଲି ସେ କହିଥିଲେ। ଆଜି ମଧ୍ୟ ଉଦୟଗିରି ପାହାଡ଼ରେ ହଜାରହଜାର ବର୍ଷର ସମୃଦ୍ଧ ସଂସ୍କୃତି ଜୀବନ୍ତ ରହିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ।ପରେ ମୁଖ୍ୟ ନିର୍ବାଚନ କମିଶନର ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଭାସ୍କର୍ଯ୍ୟରେ ମୁଗ୍ଧ ହେବା ସହ ସପରିବାର ଦେବାଦେବୀଙ୍କ ଆଶୀର୍ବାଦ ନେଇଥିଲେ।

ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନରଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଅବନତି ହେବାରୁ ସେ ତୃତୀୟ ଦିନର ବୁଥ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖି ଆଜି ସନ୍ଧ୍ୟାରେ ଜରୁରୀକାଳୀନ ଭିତ୍ତିରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହଠାତ୍ ପ୍ରତ୍ୟାବର୍ତ୍ତନ ପାଇଁ ସେ ଦୁଃଖପ୍ରକାଶ କରିବା ସହ ଓଡ଼ିଶାର କଳା, ସ୍ଥାପତ୍ୟ, ଆତିଥ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ଅତ୍ୟଧିକ ପ୍ରଭାବିତ କରିଥିବା କହିଛନ୍ତି ଏବଂ ନିଶ୍ଚିତ ଭାବେ ପୁଣିଥରେ ଓଡ଼ିଶା ଆସିବେ ବୋଲି ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *