ନ୍ୟୁଜ ଡେକ୍ସ : ଓଡ଼ିଶାର ସଡ଼କ ନେଟୱାର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପାଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ୪୪,୭୭୧ କୋଟି ଟଙ୍କାର ଏକ ବୃହତ୍ ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏଥିମଧ୍ୟରେ ଜାତୀୟ ରାଜପଥ ପାଇଁ ୩୦ ହଜାର କୋଟି ଟଙ୍କା ଓ ରାଜ୍ୟ ରାଜପଥ ପାଇଁ ୧୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି।
ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ କରି ଓଡ଼ିଶାର ବିଭିନ୍ନ ରାସ୍ତା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ରାଜ୍ୟ ପାଇଁ ଏହି ବୃହତ୍ ଅନୁମୋଦନ ମିଳିଛି।ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ୫ଟି ଜାତୀୟ ରାଜପଥ, ୫ଟି ରାଜ୍ୟ ରାଜପଥ ଓ ସିଆରଆଇଏଫ୍ ପ୍ରକଳ୍ପ ଅନ୍ତର୍ଗତ ସମୁଦାୟ ୪୪,୭୭୧ କୋଟି ଟଙ୍କାର କାମକୁ ଅନୁମୋଦନ ମିଳିଛି। ଏଥିମଧ୍ୟରେ ଭୁବନେଶ୍ୱର–ପୁରୀ ରାସ୍ତାକୁ ୮ ଲେନ୍ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ–ପୁଇଁତୋଳା–ଇଚ୍ଛାପୁରମ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବାର ପ୍ରକଳ୍ପ ସମିଲ ରହିଛି। ସେହିପରି ୪୦୦ କିଲୋମିଟର ଦୀର୍ଘ ରାଉରକେଲା–ବଡବିଲ୍–ପାରାଦୀପ (ଭାୟା ଡୁବୁରି) ରାସ୍ତାକୁ ୮ ଲେନ୍ କରିବା ଏବଂ ଏନଏଚ୍–୧୪୯ ଅଧିନସ୍ଥ ୬୮ କିଲୋମିଟର ଦୀର୍ଘ ପାଲଲହଡ଼ା–ପିଟିରି ରାସ୍ତାକୁ ୪ ଲେନ୍ କରିବା ପାଇଁ ମଧ୍ୟ ଅନୁମୋଦନ ମିଳିଛି।ଅନ୍ୟପକ୍ଷରେ, ୨୦୨୫ ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଅବସରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ସିଆରଆଇଏଫ୍ ଯୋଜନା ଅନ୍ତର୍ଗତ ୧୫୦୦ କୋଟି ଟଙ୍କା ମଧ୍ୟ ମିଳିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଭାବେ ଭୁବନେଶ୍ୱରରୁ ପାରାଦୀପକୁ ସିଧାସଳଖ ନୂଆ ଗ୍ରୀନଫିଲ୍ଡ ରାସ୍ତା ନିର୍ମାଣ ଉପରେ ଆଲୋଚନା ହୋଇଛି।
ଆଗାମୀ ଦିନରେ ପାରାଦୀପ ବନ୍ଦର ସହରର ବ୍ୟାପକ ବିକାଶ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ୱର ସହ ସିଧା ସଂଯୋଗ ଗଢ଼ିଦେବାରେ ଏହି ଗ୍ରୀନଫିଲ୍ଡ ରାସ୍ତା ବେଶ ସାହାଯ୍ୟକାରୀ ହେବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଏଲ.କେ. ପାଢ଼ୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଏ.ଡି.ଜି. ଅତୁଲ କୁମାର ଏବଂ ଜାତୀୟ ରାଜପଥ ପ୍ରାଧିକରଣର ସଦସ୍ୟ ବିପନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

