ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ଠାରେ ଆଜି ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ “ଭାରତୀୟ ଜ୍ଞାନ ପରମ୍ପରା” ବିଷୟରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଯାହା ଦେଶର ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ଓ ଯୁଗୋପଯୁଗୀ ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳିବାକୁ ଲକ୍ଷ୍ୟ କରିଛି। ସେ କହିଲେ, ଏହି ନୀତି ଭାରତୀୟ ପରମ୍ପରା ଓ ମୂଲ୍ୟବୋଧ ଉପରେ ଆଧାରିତ ଥିବା ସହିତ SDG–୪ ସହ ସମତୁଲ ଭାବେ ଏକ ନୂତନ ଶିକ୍ଷା ରୂପରେ ସଂଗଠିତ। ଏହା ଶିକ୍ଷା ସଂରଚନା, ନିୟମାବଳୀ ଓ ପ୍ରଶାସନୀୟ ଦିଗରେ ସଂଶୋଧନ ଓ ପୁନଃନିର୍ମାଣ ପାଇଁ ଏକ ମଜବୁତ ପ୍ରସ୍ତାବ ଦେଇଛି।ସେ କହିଥିଲେ, ଶିକ୍ଷାନୀତି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଂବିଧାନିକ ମୂଲ୍ୟବୋଧ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।
ଶିକ୍ଷା କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମସ୍ତଙ୍କ ହିତ ଏବଂ ସମାଜ କଲ୍ୟାଣ ପାଇଁ ଅଟେ — ଏହା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ମୂଳ ମନ୍ତ୍ର ।ସେ ଆହୁରି କହିଥିଲେ, ଆମ ଦେଶର ପ୍ରାଚୀନ ଋଷିମୁନିମାନେ ଯେପରି ଶିକ୍ଷାକୁ ସର୍ବହିତ ପାଇଁ ଉପକାରୀ କରିଥିଲେ, ତାହାର ଅନୁସରଣ ଆଜିର ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା । ଭାରତୀୟ ଚିନ୍ତନ ଓ ଗବେଷଣା ଯେପରି କଳା, ସାହିତ୍ୟ, ବିଜ୍ଞାନ, ନ୍ୟାୟ, ଦର୍ଶନ, ଯୋଗ, ଜ୍ୟୋତିଷ, ଗଣିତ, ଚିକିତ୍ସା ଓ କୃଷି ସହିତ ସମସ୍ତ କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଛି, ସେଗୁଡ଼ିକୁ ଯୁବପିଢିଙ୍କ ସମ୍ମୁଖରେ ଆଣିବା ଅତି ଆବଶ୍ୟକ ।
