Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ଦେଇଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ। ରାଜ୍ୟରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଠନ ହେବାକୁ ଯାଉଛି ବୋଲି ସେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ମୋକିମଙ୍କ କହିବା ଅନୁଯାୟୀ, ରାଜ୍ୟର ଅନେକ ଉଦୟମାନ ଯୁବ ନେତୃତ୍ୱ, ବୁଦ୍ଧିଜୀବୀ ଓ ସମାଜସେବୀ ଏକ ସଶକ୍ତ ଏବଂ ବଡ଼ ପ୍ଲାଟଫର୍ମର ଅପେକ୍ଷାରେ ଅଛନ୍ତି ଏବଂ ସେମାନେ ଲଗାତାର ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ମୋକିମ କହିଛନ୍ତି ଯେ, ରାଜ୍ୟର ଜନସାଧାରଣ ଏବେ ଏକ ଶକ୍ତିଶାଳୀ ବିକଳ୍ପ ଖୋଜୁଛନ୍ତି। ରାଜନୀତିରେ କେବେ ମଧ୍ୟ କୌଣସି ସ୍ଥାନ ଖାଲି ରହେ ନାହିଁ ଓ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ତାହାକୁ ପୂରଣ କରିବା ପାଇଁ ନୂଆ ଶକ୍ତି ପ୍ରସ୍ତୁତ ଅଛି। ବିଶେଷକରି ଯୁବପିଢ଼ିଙ୍କୁ ଉପଯୁକ୍ତ ସୁଯୋଗ ଦେବା ଏହି ପ୍ରସ୍ତାବିତ ନୂଆ ଦଳର ମୂଖ୍ୟ ଲକ୍ଷ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏନେଇ ଆଲୋଚନା ଚାଲିଥିବା ବେଳେ ଆଗାମୀ ଦିନରେ ଏହା ଓଡ଼ିଶା ରାଜନୀତିକୁ ଏକ ନୂଆ ମୋଡ଼ ଦେଇପାରେ ବୋଲି ଆଶା କରାଯାଉଛି। ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ଅବସରରେ ଆୟୋଜିତ ସଭାରେ ଯୋଗଦେଇ ମୋକିମ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ କଟୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ଯେଉଁମାନେ ଦୀର୍ଘ ବର୍ଷ ଧରି ପରିଶ୍ରମ କରି ଦଳକୁ ଗଢ଼ିଛନ୍ତି, ସେମାନଙ୍କୁ ସାଇଡ୍ କରି ଅନ୍ୟମାନଙ୍କୁ ଦାୟିତ୍ୱ ଦିଆଯିବା ଫଳରେ ସଂଗଠନ ଦୁର୍ବଳ ହୋଇପଡ଼େ, ଯାହାର ଉଦାହରଣ ହେଉଛି ଓଡ଼ିଶା କଂଗ୍ରେସର ବର୍ତ୍ତମାନ ସ୍ଥିତି।ମୋକିମ ଅଭିଯୋଗ କରିଛନ୍ତି ଯେ, କମଳ ନାଥ ଓଡ଼ିଶା ଆସି ଜାନକୀ ବାବୁଙ୍କୁ ‘ଅତୀତ’ ବୋଲି କହିବା ଓ ପରେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ନିଯୁକ୍ତ କରିବା ସହ ଦଳର ଅଧୋପତନ ଆରମ୍ଭ ହୋଇଥିଲା।

ସେ କହିଛନ୍ତି, ସେତେବେଳେ ଯଦି ସୋନିଆ ଗାନ୍ଧୀ ଜାନକୀ ବାବୁଙ୍କ ସହ ଆଲୋଚନା କରିଥାନ୍ତେ, ତେବେ ଆଜି ଓଡ଼ିଶା କଂଗ୍ରେସ ଏଭଳି ଦୟନୀୟ ସ୍ଥିତିରେ ପହଞ୍ଚିନଥାନ୍ତା। ବରିଷ୍ଠ ନେତାଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ, ଆଗାମୀ ଦିନରେ ଏହାର ପ୍ରଭାବ କେତେ ଦୂର ପଡ଼ିବ, ସେନେଇ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *