Tue. Feb 24th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ହାଇକୋର୍ଟରେ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଡିସେମ୍ବର ୨୫ ତାରିଖରୁ ଶୀତକାଳୀନ ଛୁଟି ଆରମ୍ଭ ହେବ। ଏହା ସହ ବୁଧବାର ନିୟମିତ କୋର୍ଟ ଅଧିବେଶନର ଶେଷ କାର୍ଯ୍ୟଦିବସ ରହିଛି। କୋର୍ଟ ୫ ଜାନୁଆରୀ ୨୦୨୬, ସୋମବାର ଠାରୁ ପୁଣି ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟ ଆରମ୍ଭ କରିବ।ବିଜ୍ଞପ୍ତି ଅନୁସାରେ, ୨ ଜାନୁଆରୀ ୨୦୨୬ (ଶୁକ୍ରବାର)କୁ ଏକ ସ୍ୱତନ୍ତ୍ର ଛୁଟି ଦିନ ଭାବେ ଘୋଷଣା କରାଯାଇଛି।

ଏହାର ପ୍ରତିବଦଳରେ କୋର୍ଟ ୬ ମାର୍ଚ୍ଚ ୨୦୨୬ (ଶନିବାର) ଦିନ କାର୍ଯ୍ୟ କରିବ। ସେହିପରି, ୩୦ ଡିସେମ୍ବର ୨୦୨୫ରେ ଏକ ଛୁଟିଦିନ ବେଞ୍ଚ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।୩୦ ଡିସେମ୍ବର ଦିନ ଜଷ୍ଟିସ୍ ସାବିତ୍ରୀ ରଥ ଓ ଜଷ୍ଟିସ୍ ଏମଏସ୍ ରମଣଙ୍କୁ ନେଇ ଗଠିତ ଛୁଟିଦିନ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ଏହା ସହିତ ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ୍ ଏମଏସ୍ ରମଣ ପୃଥକ ପୃଥକ ଏକକ ଖଣ୍ଡପୀଠରେ ବସି ମାମଲାଗୁଡ଼ିକର ସମାଧାନ କରିବେ।

ହାଇକୋର୍ଟର ପ୍ରଶାସନିକ କାର୍ଯ୍ୟାଳୟ ଡିସେମ୍ବର ୨୬ ରୁ ୩୧ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ନୂତନ ମାମଲା ପାଇଁ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର କାର୍ଯ୍ୟଦିବସରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଜରୁରୀକାଳୀନ ମାମଲା ପାଇଁ ଆଇନଜଜୀବୀମାନେ ୨୯ ଡିସେମ୍ବର ୨୦୨୫ରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡେପୁଟି ରେଜିଷ୍ଟ୍ରାର (ନ୍ୟାୟିକ) କାର୍ଯ୍ୟାଳୟରେ ଥିବା ଡ୍ରପ୍ ବାକ୍ସରେ ମେମୋ ଦାଖଲ କରିପାରିବେ।

Leave a Reply

Your email address will not be published. Required fields are marked *