Thu. Feb 26th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାକୁ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରିବା ପାଇଁ ରାଜସ୍ବ ବିଭାଗ କମର ବାନ୍ଧିଛି। ସରକାରୀ ଜମି ଉପରେ ବେଆଇନ ଭାବେ ଅଧିକାର କରିଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଅବଶ୍ୟ ଜବାବଦେହ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଠୋର ସନ୍ଦେଶ ଜାରି କରିଛନ୍ତି। ସରକାରୀ ଜମି ଫେରାଇବାକୁ ନ ମାନିଲେ, ଉଚ୍ଛେଦ କାର୍ଯ୍ୟରେ ଲାଗିବା ସମସ୍ତ ଖର୍ଚ୍ଚ ଜବରଦଖଲକାରୀଙ୍କଠାରୁ ଆଦାୟ କରାଯିବ।

ମନ୍ତ୍ରୀ ପୂଜାରୀଙ୍କ କହିବା ଅନୁଯାୟୀ, ତହସିଲ ଅଫିସଗୁଡ଼ିକରେ ଥିବା ସମଗ୍ର ଜମି ସମ୍ପର୍କିତ ତଥ୍ୟର ଡାଟାବେସ୍ ପ୍ରସ୍ତୁତ କରିବା କାମ ତ୍ୱରାନ୍ୱିତ ହୋଇଛି। କେଉଁ ଜମି କାହା ନାମରେ, କେତେ ପରିମାଣରେ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥା ଏବଂ ବିଭାଗ ଅଧୀନରେ ରହିଥିବା ଜମି କେତେ, ଏଭଳି ସମସ୍ତ ତଥ୍ୟକୁ ଏକ ଡାଟାବେସ୍‌ରେ ମଧ୍ୟ ଆଣାଯାଉଛି। ସେ କହିଛନ୍ତି, “ନୂଆ ସରକାର ଆସିବା ପରେ ରାଜସ୍ବ ବିଭାଗର କାମ ତିନିଗୁଣା ବଢ଼ିଛି। ଓଡ଼ିଶାକୁ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରିବା ଆମ ମୁଖ୍ୟ ଲକ୍ଷ୍ୟ।”

ମନ୍ତ୍ରୀ ପୂଜାରୀ ଦୁଇ ଶ୍ରେଣୀର ଜବରଦଖଲକାରୀମାନଙ୍କ କଥା ଉଲ୍ଲେଖ କରିଛନ୍ତି—ଆବଶ୍ୟକତାପ୍ରବୃତ୍ତି ଜବରଦଖଲକାରୀ: ଯେଉଁ ଗରିବ ଲୋକଙ୍କ ପାଖରେ ରହିବାକୁ ଜାଗା ନଥିବାରୁ ବାଧ୍ୟ ହୋଇ ସରକାରୀ ଜମି ଭୋଗ କରୁଛନ୍ତି। ସେମାନଙ୍କୁ ୪ ଡେସିମିଲ ଜମି ପଟ୍ଟା ଦିଆଯିବ।ପ୍ରଭାବଶାଳୀ ଲୋଭୀ ଜବରଦଖଲକାରୀ: ବର୍ଷୋ ବର୍ଷ ଧରି ସରକାରୀ ଜମି ମାଡ଼ି ବସିଥିବା ଏଭଳି ବ୍ୟକ୍ତିମାନଙ୍କୁ କୌଣସି ଛୁଟ ମିଳିବ ନାହିଁ। ସମସ୍ତ ବେଆଇନ ଜମିକୁ ଶୀଘ୍ର ମୁକ୍ତ କରାଯିବ।ମନ୍ତ୍ରୀ କହିଛନ୍ତି,

“ଯେଉଁମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ପତ୍ତି ଥାଇ ସେମାନେ ମଧ୍ୟ ସରକାରୀ ଜମି ଦଖଳ କରିଛନ୍ତି—ସେମାନଙ୍କୁ ଆଉ ଛଡ଼ାଯିବ ନାହିଁ। ଏବେ ବି ସମୟ ଅଛି, ସରକାରୀ ଜମି ଫେରାଇଦିଅନ୍ତୁ, ନହେଲେ ଆଇନୁସାରେ କଠୋର କାର୍ଯ୍ୟନୁଷ୍ଠାନ ହେବ।”ସରକାର ଭୂମିହୀନଙ୍କୁ ପଟ୍ଟା ବଣ୍ଟନ, ଶିଳ୍ପଉନ୍ନୟନ ଓ ବିଭିନ୍ନ ବିଭାଗର ପ୍ରକଳ୍ପ ପାଇଁ ସରକାରୀ ଜମିକୁ ସୁପରିଚାଳିତ ଭାବରେ ବ୍ୟବହାର କରିବା ଉପରେ ଜୋର ଦେଇଛି। ରାଜସ୍ବ ବିଭାଗ ଏହି ମହାଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟସ୍ତରରେ ତତ୍ପର ହେଇପଡ଼ିଛି।

Leave a Reply

Your email address will not be published. Required fields are marked *