ନ୍ୟୁଜ ଡେକ୍ସ : ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟରେ ଓଡ଼ିଶା ଏବେ ‘ବିହନ ହବ୍’ ରୂପେ ଗଢ଼ିଉଠିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ତାଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଏକ ବୈଠକ ଆୟୋଜିତ ହୋଇଥିଲା, ଯେଉଁଠି ବିଲୁପ୍ତପ୍ରାୟ ଖାଦ୍ୟ ଓ ଫସଲ ପୁନରୁଦ୍ଧାର ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବା ଆହ୍ୱାନରୁ ପ୍ରେରିତ ହୋଇ ଓଡ଼ିଶା ସରକାର ଏହି କ୍ଷେତ୍ରରେ କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ହରଡ଼, କଳା ଚଣା ଓ ଅନ୍ୟାନ୍ୟ ଡାଲି ଫସଲ ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛି। ICRISAT ଦ୍ୱାରା ବିକଶିତ ହୋଇଥିବା ICPV25444 ନାମକ ହରଡ଼ ପ୍ରଜାତି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ପ୍ରଜାତି ସମସ୍ତ ଋତୁରେ ଚାଷଯୋଗ୍ୟ, ତୀବ୍ର ଉତ୍ତାପ (୪୫°C ପର୍ଯ୍ୟନ୍ତ) ସହନଶୀଳ ଓ ୧୨୦ ଦିନ ମଧ୍ୟରେ ଉତ୍ପାଦନ ଯୋଗ୍ୟ ହେବାରୁ ଚାଷୀମାନଙ୍କ ପାଇଁ ଏକ ଆଶାର ଆଲୋକ ହେବ।ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଏହି ନୂତନ ପ୍ରଜାତି ସହିତ ସାଥିସାଥି ଡଙ୍ଗରରାଣୀ ଓ କାନ୍ଦୁଲ ଭଳି ପାରମ୍ପରିକ ହରଡ଼ ପ୍ରଜାତିମାନଙ୍କ ଚାଷକୁ ମଧ୍ୟ ଅଗ୍ରଗତି ଦେବାକୁ ପରାମର୍ଶ ଦେଇଛନ୍ତି।
ଏହି ପାରମ୍ପରିକ କିସମଗୁଡିକ ବର୍ତ୍ତମାନ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ବିଲୁପ୍ତପ୍ରାୟ ବର୍ଗରେ ଗଣାଯାଉଛି।ଉପମୁଖ୍ୟମନ୍ତ୍ରୀ ଏହି ବିକଶିତ ହରଡ଼ କିସମ ସହିତ ଡଙ୍ଗରରାଣୀ ଏବଂ କାନ୍ଦୁଲ ଭଳି ପାରମ୍ପରିକ କିସମ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ବିଲୁପ୍ତ ପ୍ରାୟ କିସମ ବର୍ଗରେ ଆସୁଅଛି।ଡାଲିରେ ଆତ୍ମନିର୍ଭର ଅଧୀନରେ ଓଡ଼ିଶା ଏକ ‘ବିହନ କେନ୍ଦ୍ର’ ହେବା ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, କୃଷି ବିଭାଗ, ଉଦ୍ୟାନ ନିର୍ଦ୍ଦେଶାଳୟ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ICRISAT, ICARDA ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

