Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡିଶାରେ ଏବେ ଶୀତ ତାହାର ସର୍ବାଧିକ ପ୍ରଭାବ ଦେଖାଉଛି। ଉପକୂଳରୁ ଆରମ୍ଭ କରି ଉପାନ୍ତ ଜିଲ୍ଲା ପର୍ଯ୍ୟନ୍ତ ପ୍ରଚଣ୍ଡ ଥଣ୍ଡା ଲୋକଙ୍କୁ କଲବଲ କରାଇଛି। ଅନେକ ଅଞ୍ଚଳରେ ତାପମାତ୍ରା ସାଧାରଣ ତୁଳନାରେ ହ୍ରାସ ପାଇଥିବା ବେଳେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କିଛି ଜିଲ୍ଲା ପାଇଁ ‘କୋଲ୍ଡ ୱେଭ୍’ ସତର୍କତା ଜାରି କରାଯାଇଛି।ପ୍ରବଳ ଶୀତ ଓ ଘନ କୁହୁଡ଼ିର ପ୍ରଭାବକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ସ୍କୁଲ ସମୟରେ ପରିବର୍ତ୍ତନ କରିଛି।

ସେସନ ଏଣ୍ଡ ପରୀକ୍ଷା ଚାଲିଥିବାରୁ ପ୍ରତି ଶନିବାର ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କଟକ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଚାଲିବ। ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଆଦେଶ ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ।ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶୀତର ପ୍ରକୋପ ଅସହ୍ୟ ହୋଇଯାଇଛି।

ସକାଳ ୫ଟା ୩୦ରେ ପାରଦ ୧୦ ଡିଗ୍ରୀ ସେଲସିଅସ୍‌କୁ ଛୁଇଁଥିବା ବେଳେ, ଆଜି ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ରେକର୍ଡ ହୋଇଛି। ଗତ କିଛି ଦିନ ମଧ୍ୟରେ ଏହା ସବୁଠାରୁ କମ୍‌ ତାପମାତ୍ରା ବୋଲି ଜଣାପଡ଼ିଛି। ଶୀତ ଆହୁରି କିଛି ଦିନ ଜାରି ରହିବା ସମ୍ଭାବନା ଥିବାରୁ, ପାଣିପାଗ ବିଭାଗ ଲୋକମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *