Thu. Feb 26th, 2026

ନ୍ୟୁଜ ଡେକ୍ସ : ଓଡିଶାରେ ଶୀତ ଲହରି ଜାରି ରହିଛି। ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସହ ଘନ କୁହୁଡ଼ି ଦେଖାଦେଉଥିବାରୁ ସାଧାରଣ ଜୀବନ ଓ ଯାତାୟାତ ପ୍ରଭାବିତ ହେଉଛି। ପାରଦ ତଳମୁହାଁ ରହିଥିବାବେଳେ କେତେକ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ କ୍ଷମତାକୁ ହ୍ରାସ କରୁଛି।ମୌସମ ବିଭାଗ ପକ୍ଷରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ସମୟରେ ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିବାର ସମ୍ଭାବନା ରହିଛି।ଶନିବାର ରାଜ୍ୟର ରାଉରକେଲାରେ ଘନ କୁହୁଡ଼ି ଦେଖାଦେଇଥିବାବେଳେ ଝାରସୁଗୁଡା, ଫୁଲବାଣୀ, ଭବାନୀପାଟଣା ଓ ବାରିପଦାରେ ମଧ୍ୟ କୁହୁଡ଼ି ପ୍ରଭାବ ପଡ଼ିଥିଲା। ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ ତଳେ ରେକର୍ଡ ହୋଇଛି। ଜି. ଉଦୟଗିରିରେ ସର୍ବନିମ୍ନ ୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସେମିଳିଗୁଡା ୫.୧, ଫୁଲବାଣୀ ୫.୮, ଦାରିଙ୍ଗବାଡି ୬, ଚିପିଲିମା ୭.୬ ଏବଂ ନବରଙ୍ଗପୁର, ଭବାନୀପାଟଣା ଓ ଅନୁଗୋଳରେ ୯ ଡିଗ୍ରୀ ତାପମାତ୍ରା ରହିଥିଲା।

ଘନ କୁହୁଡ଼ି ଦ୍ୱାରା ସମ୍ଭାବ୍ୟ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୁନ୍ଦରଗଡ଼, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ସମ୍ବଲପୁର—ଏହି ୬ଟି ଜିଲ୍ଲାର ଆର୍‌ଟିଓମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି। କୁହୁଡ଼ି ସମୟରେ ଦୁର୍ଘଟଣା ହ୍ରାସ ପାଇଁ ଗାଡ଼ି ଚାଳକମାନଙ୍କୁ ସଚେତନ କରିବା ସହ ଏନ୍‌ଫୋର୍ସମେଣ୍ଟକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି ମାର୍ଗଦର୍ଶିକା ଜାରି ହୋଇଥିବା ଜଣାପଡ଼ିଛି। ଏପଟେ, ପ୍ରଶାସନ ପକ୍ଷରୁ ସାଧାରଣ ଲୋକ ଓ ଯାନଚାଳକମାନଙ୍କୁ ସାବଧାନ ରହିବାକୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *