ନ୍ୟୁଜ ଡେକ୍ସ : ଓଡିଶାର ଅର୍ଥନୈତିକ ମାନଚିତ୍ରରେ ଆସୁଛି ଏକ ବଡ଼ ପରିବର୍ତ୍ତନ। ରାଜ୍ୟର ଚାରିଟି ମୁଖ୍ୟ ସହର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକକୁ କମନ ଇକୋନୋମିକ୍ ଜୋନ୍ରେ ପରିଣତ କରାଯିବାକୁ ଯାଉଛି। ଏହି ସୂଚନା ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦେଇଛନ୍ତି।
ତାଙ୍କ କହିବା ଅନୁସାରେ, ୨୦୨୭ ସୁଦ୍ଧା ଏହି ଚାରି ସହରକୁ ଏକ ସଂଯୁକ୍ତ ଅର୍ଥନୈତିକ କ୍ଷେତ୍ର ଭାବେ ବିକଶିତ କରାଯିବ। ଏହା ପରେ ରାଜ୍ୟର ସମୁଦାୟ ଅର୍ଥନୀତିର ପ୍ରାୟ ୩୩ ପ୍ରତିଶତ ଏହି କମନ ଇକୋନୋମିକ୍ ଜୋନ୍ ଅଞ୍ଚଳରୁ ଆସିବ ବୋଲି ଆଶା କରାଯାଇଛି।କମନ ଇକୋନୋମିକ୍ ଜୋନ୍ ହେଉଛି ଏକ ଏମିତି ବ୍ୟବସ୍ଥା, ଯେଉଁଠାରେ ପଣ୍ୟ, ସେବା, ପୁଞ୍ଜି ଏବଂ ଶ୍ରମର ମୁକ୍ତ ଚଳାଚଳକୁ ପ୍ରୋତ୍ସାହନ ଦିଆଯାଏ।
ଓଡିଶାରେ ଏହି ଧାରଣାକୁ ସହର ଆଧାରିତ ଭାବେ ଅମଲ କରାଯିବ, ଯାହା ନିବେଶ, ରୋଜଗାର ଓ ଅର୍ଥନୈତିକ ଗତିଶୀଳତାକୁ ବଢ଼ାଇବ। ରାଜ୍ୟ ସରକାରର ଏହି ପଦକ୍ଷେପ ଦ୍ୱାରା ପୂର୍ବ ଭାରତରେ ଓଡିଶା ଏକ ନୂଆ ଅର୍ଥନୈତିକ କେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନା ରହିଛି।

