ନ୍ୟୁଜ ଡେକ୍ସ: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ଆଜି ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବା ପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ।
ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ମୋତେ ଏକ ଗୁରୁ ଦାୟିତ୍ୱ ମିଳିଛି। ଗୁରୁ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତା ସହ ନିର୍ବାହ କରିବି। ପରୀକ୍ଷାରେ ସ୍ୱଚ୍ଛତା ଓ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଆମର ପ୍ରାଥମିକତା ରହିବ। ଠିକ୍ ସମୟରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଟଙ୍କା ବା ଲାଞ୍ଚ ଦେଇ ଯଦି କେହି ପରୀକ୍ଷାର୍ଥୀଙ୍କୁ ଚାକିରି ଦେବା ପାଇଁ କହୁଛି, ତେବେ ତାହା କେବଳ ଠକେଇ ପାଇଁ କହୁଛି। ପରୀକ୍ଷାର୍ଥୀ ସେଥିରେ ନ ପଡ଼ିବା ପାଇଁ ପରାମର୍ଶ ଦେଉଛି। ସାଢ଼େ ୩୩ ବର୍ଷ ପୁଲିସ ଚାକିରି ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ଏହାକୁ ମଧ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି ବୋଲି ମତ ପ୍ରକାଶ କରିଛନ୍ତି ଆଇପିଏସ୍ ଅରୁଣ ଷଡ଼ଙ୍ଗୀ।ତେବେ ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ଏବେ ଅରୁଣ ଷଡ଼ଙ୍ଗୀଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ତେବେ ଏହାକୁ ନେଇ ଅରୁଣ କହିଛନ୍ତି, ପରୀକ୍ଷାରେ ସ୍ବଚ୍ଛତା ଏବଂ ସଠିକ୍ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯିବ । ଯେମିତି ଓପିଏସସିକୁ ନେଇ କେହି ପ୍ରଶ୍ନ ଉଠାଇବେ ନାହିଁ ତାହା ଉପରେ ଗୁରୁତ୍ବାରୋପ କରାଯିବ । ତେବେ ୟୁନିଫର୍ମକୁ ସେ ବହୁତ ମନେ ପକାଇବେ ବୋଲି କହିଛନ୍ତି ଅରୁଣ ।
