Sat. Feb 21st, 2026

ନ୍ୟୁଜ ଡେକ୍ସ : ଏଣିକି ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ‘ତୃତୀୟ ଲିଙ୍ଗ’ ବିକଳ୍ପ ଯୋଡ଼ାଯାଇଛି। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା–୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରି ଏହି ବ୍ୟବସ୍ଥା କରାଯାଇଛି। Odisha Public Service Commission ପକ୍ଷରୁ ଏନେଇ ଅଧିକୃତ ବିଜ୍ଞପ୍ତି ଜାରି ହୋଇଛି।ତୃତୀୟ ଲିଙ୍ଗ ବର୍ଗର ପ୍ରାର୍ଥୀମାନଙ୍କୁ ଓସିଏସଇ–୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲକ୍ଷ୍ୟରେ ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ୨୦ ତାରିଖରେ ପଞ୍ଜୀକରଣ ଅବଧି ଶେଷ ହେବାକୁ ଥିବାବେଳେ ଏହାକୁ ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ଏହାସହିତ ଆବେଦନର ଶେଷ ତାରିଖ ମାର୍ଚ୍ଚ ୭ ରଖାଯାଇଛି।ନୂଆ ବ୍ୟବସ୍ଥା ଅନୁଯାୟୀ, ତୃତୀୟ ଲିଙ୍ଗ ବର୍ଗର ପ୍ରାର୍ଥୀମାନଙ୍କୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର ବା ସାର୍ଟିଫିକେଟ୍ ଅନଲାଇନ୍‌ରେ ଅପଲୋଡ୍ କରିବାକୁ ହେବ। ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ ପରିବର୍ତ୍ତନ ହୋଇଥାଏ, ସେ ସମ୍ପର୍କିତ ଦଳିଲପତ୍ର ଦାଖଲ କରିବା ମଧ୍ୟ ଅନିବାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ପଛରେ Odisha Human Rights Commissionଙ୍କ ନିର୍ଦ୍ଦେଶ ରହିଛି। ସୋନି ସିଲ୍‌ ନାମକ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ OPSC ପରୀକ୍ଷା ଫର୍ମରେ ଉପଯୁକ୍ତ ବିକଳ୍ପ ନଥିବାରୁ ପାତରଅନ୍ତର ଅଭିଯୋଗ କରି ପିଟିସନ ଦାଖଲ କରିଥିଲେ।

ଏହାକୁ ଆଧାର କରି କମିଶନ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଆବଶ୍ୟକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି, ରାଜ୍ୟର ସମସ୍ତ ସରକାରୀ ବିଭାଗ ଓ ନିଗମମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଯାଇଛି। ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶାବଳୀର ଅନୁପାଳନ ରିପୋର୍ଟ ୬୦ ଦିନ ମଧ୍ୟରେ ଦାଖଲ କରିବାକୁ କମିଶନ କହିଛନ୍ତି।

Leave a Reply

Your email address will not be published. Required fields are marked *