ନ୍ୟୁଜ ଡେକ୍ସ : କଟକ ସହରରେ ଦୀର୍ଘଦିନ ଧରି ଚାଲିଥିବା ଟ୍ରାଫିକ୍ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଦୃଢ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ଏକ ଆଧୁନିକ ଆଉଟର ରିଙ୍ଗ୍ରୋଡ୍ ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ରୂପାୟଣ ହେଲେ କଟକର ଭିତର ଅଞ୍ଚଳରେ ଥିବା ଟ୍ରାଫିକ୍ ଭିଡ଼ ଅନେକ ହ୍ରାସ ପାଇବ ଏବଂ ଭାରୀ ଯାନବାହନଗୁଡ଼ିକ ସହର ବାହାରୁ ଚଳାଚଳ କରିପାରିବେ।
ଏହା ସହିତ କଟକ–ସମ୍ବଲପୁର ଜାତୀୟ ରାଜପଥ–୫୫କୁ ୬ ଲେନ୍ କରିବା ପାଇଁ ଶୀଘ୍ର ସର୍ଭେ କରାଯିବ। ଏହା ରାଜ୍ୟର ପଶ୍ଚିମ ଓ ଉପକୂଳ ଅଞ୍ଚଳ ମଧ୍ୟରେ ଯାତାୟାତକୁ ଅଧିକ ସୁଗମ ଓ ଦ୍ରୁତ କରିବ। ସେହିପରି ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ୪ ଲେନ୍ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସମୟରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, କେବଳ ବଡ଼ ବଡ଼ ସହରର ଉନ୍ନୟନ ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ ନୁହେଁ। ରାଜ୍ୟର ସମସ୍ତ ଅଞ୍ଚଳ ଓ ସହରମାନଙ୍କୁ ସୁଦୃଢ଼ ସଡ଼କ ଓ ଯୋଗାଯୋଗ ଜାଲରେ ଯୋଡ଼ିବା ଦ୍ୱାରା ମାତ୍ର ଅର୍ଥନୈତିକ ଓ ସାମାଜିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି।
ମନ୍ତ୍ରୀ ସମସ୍ତ ପ୍ରସ୍ତାବିତ ନିର୍ମାଣ ପ୍ରକଳ୍ପର ନିର୍ମାଣ-ପୂର୍ବ ପ୍ରକ୍ରିୟା, ଭୂମି ଅଧିଗ୍ରହଣ, ସର୍ଭେ, ଡିପିଆର୍ ପ୍ରସ୍ତୁତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ଆଉଟର ରିଙ୍ଗ୍ରୋଡ୍, ଜାତୀୟ ରାଜପଥର ବିସ୍ତାର ଓ ରାଜ୍ୟ ରାଜପଥର ଉନ୍ନତି ସହ କଟକ ସହର ସହିତ ସାରା ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

