Sun. Feb 22nd, 2026

ନ୍ୟୁଜ ଡେକ୍ସ : ବିଭିନ୍ନ କାରଣରୁ କଟକରେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ବିଜେପି, ବିଜେଡି ଓ କଂଗ୍ରେସ ଏ ତିନି ପ୍ରମୁଖ ଦଳର ମଙ୍ଗୁଆଳ ନେତାମାନେ ନିଜ ନିଜ ଦଳରେ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ଏବେ ଖୋଲାମେଳା ହେଉଛି। କଂଗ୍ରେସର ମହମ୍ମଦ ମୋକିମ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ ହୁଅନ୍ତୁ କି ବିଜେଡିର ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ରଞ୍ଜନ ବିଶ୍ୱାଳ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ପ୍ରକାଶ ପାଉଛି।

କଂଗ୍ରେସର ପୂର୍ବତନ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ଗତ ଦୁଇ ମାସ ମଧ୍ୟରେ ଦୁଇଟି ଚିଠି ଲେଖି ଦଳୀୟ ନେତୃତ୍ୱ ଉପରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ଫଳାଫଳ ପରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ମନ୍ତବ୍ୟକୁ ନେଇ ପ୍ରଥମ ଚିଠି ଲେଖିଥିବା ମୋକିମ୍, ଦ୍ୱିତୀୟ ଚିଠି ସିଧାସଳଖ ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ସେହି ଚିଠିରେ ଶରତ ପଟ୍ଟନାୟକ, ଭକ୍ତଚରଣ ଦାସଙ୍କଠାରୁ ଆରମ୍ଭ କରି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ପର୍ଯ୍ୟନ୍ତ ସମାଲୋଚନା କରିବାକୁ ସେ ପଛାଇ ନାହାନ୍ତି।

ମୋକିମଙ୍କ ନେତୃତ୍ୱରେ କଂଗ୍ରେସ ଲଗାତାର ଦୁଇଟି ନିର୍ବାଚନରେ ବାରବାଟୀ–କଟକ ବିଧାନସଭା ଆସନ ଜିତିଛି। ବର୍ତ୍ତମାନ ସେଠାରେ ତାଙ୍କ ଝିଅ ସୋଫିଆ ଫିରଦୋସ ବିଧାୟିକା ରହିଛନ୍ତି। ତଥାପି ଦଳୀୟ ସାଙ୍ଗଠନିକ କ୍ଷେତ୍ରରେ ମୋକିମଙ୍କୁ ଯଥୋଚିତ ଗୁରୁତ୍ୱ ନମିଳିବା ତାଙ୍କ ଅସନ୍ତୋଷର ପ୍ରମୁଖ କାରଣ ବୋଲି କୁହାଯାଉଛି। କଂଗ୍ରେସରେ ସୁରେଶ ମହାପାତ୍ର, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ମାନସ ଚୌଧୁରୀ ଓ ଦେବେନ୍ଦ୍ର ସାହୁଙ୍କ ଭଳି ନେତାମାନେ ମଧ୍ୟ ଦଳୀୟ ସ୍ଥିତିକୁ ନେଇ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ରହିଛି।ବିଜେଡିରେ ମଧ୍ୟ ପରିସ୍ଥିତି ଧୀରେ ଧୀରେ ବିସ୍ଫୋରକ ରୂପ ନେଉଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ବିଭିନ୍ନ ନିଷ୍ପତ୍ତିକୁ ଶାଣିତ ସ୍ୱରରେ ସମାଲୋଚନା କରିଆସୁଥିବା ବେଳେ, ଦଳର ଉପସଭାପତି ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି।

ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଦଳୀୟ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ହୋଇ ନିଜ ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି। ତିନିଥର ନିଜେ ଓ ଦୁଇଥର ପୁଅ ସୌଭିକ ବିଶ୍ୱାଳଙ୍କୁ ଚୌଦ୍ୱାର–କଟକ ଆସନରୁ ଜିତାଇଥିଲେ ମଧ୍ୟ, ଦଳରେ ଗୁରୁତ୍ୱ ନମିଳିବା ତାଙ୍କ ଅସନ୍ତୋଷର କାରଣ ବୋଲି ଆଲୋଚନା ହେଉଛି। ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ଦଳରେ ଅସନ୍ତୁଷ୍ଟ। ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ଆସନରୁ ଲଗାତାର ଦୁଇଥର ଜିତିଥିଲେ ମଧ୍ୟ, ପ୍ରଭାତ ତ୍ରିପାଠୀଙ୍କ ଭୂମିକାକୁ ଦଳ ଗୁରୁତ୍ୱ ନଦେଉଥିବା ଅଭିଯୋଗ ରହିଛି।

ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମଧ୍ୟ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି।ଅନ୍ୟପଟେ, ବାରବାଟୀ–କଟକ, ଚୌଦ୍ୱାର–କଟକ ଓ ଦେବାଶିଷ ସାମନ୍ତରାୟଙ୍କ ମୂଳ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ସହିତ ଅନେକ ଅଞ୍ଚଳରେ ଶାସକ ଦଳ ବିଜେପିର ସ୍ଥିତି ମଧ୍ୟ ଅପେକ୍ଷାକୃତ ଦୁର୍ବଳ ଥିବା ଆଲୋଚନା ହେଉଛି। ବରିଷ୍ଠ ନେତାମାନଙ୍କ ଅସନ୍ତୋଷକୁ ଆସନ୍ତା ଦିନରେ ଶାସକ ଦଳର ପରିବର୍ତ୍ତିତ ରଣନୀତିର ଅଂଶ ବୋଲି ରାଜନୈତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି।

Leave a Reply

Your email address will not be published. Required fields are marked *