ନ୍ୟୁଜ ଡେକ୍ସ : କଟକର ଜିଲ୍ଲା କୋର୍ଟ ଏବଂ ଦୌରା ଜଜ୍ କୋର୍ଟକୁ ପୁଣିଥରେ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ଘଟଣା ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ଆଲୋଚନା ସୃଷ୍ଟି କରିଛି। ସମାନ ମେଲ୍ ଆଇଡିରୁ ଏହି ଧମକ ଆସିଥିବାବେଳେ, ତଦନ୍ତ ସମୟରେ ଜଣାପଡ଼ିଛି ଯେ ଏହି ମେଲ୍ ଡାର୍କ ୱେବ୍ରୁ ପଠାଯାଇଛି। ଏହା ଫଳରେ ପ୍ରକୃତ ଆଇପି ଠିକଣା ଟ୍ରାକ୍ କରିବା କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ଼ ଆହ୍ୱାନ ହୋଇପଡ଼ିଛି।
ପୂର୍ବରୁ ଜାନୁଆରି ୮ ତାରିଖରେ କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ନେଇ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଲିବରେସନ୍ ଟାଇଗର୍ସ ଅଫ୍ ତାଲିମ୍ ଇଲମ୍ (LTTE)’ ନାଁରେ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ସେହି ମେଲ୍ ଡାର୍କ ୱେବ୍ରେ ଟର୍ ବ୍ରାଉଜର୍ ବ୍ୟବହାର କରି ହଟ୍ମେଲ୍ ଡୋମେନ୍ରୁ ପଠାଯାଇଥିବା ଓ ନରୱେର ଆଇପି ଠିକଣା ବ୍ୟବହୃତ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତରେ ଖୋଲାସା ହୋଇଥିଲା। ଶୁକ୍ରବାର ସକାଳେ ପୁଣି ଏହି ଧମକପୂର୍ଣ୍ଣ ମେଲ୍ କଟକ ଜିଲ୍ଲା କୋର୍ଟକୁ ଆସିବା ସହିତ ସୁରକ୍ଷା ବ୍ୟବସ୍ଥା ତୁରନ୍ତ କଡ଼ାକଡ଼ି କରାଯାଇଥିଲା। ସକାଳ ପ୍ରାୟ ୧୦ଟାରେ ଲାଲବାଗ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନ୍ଦେଓ ସ୍ଥିତି ସମୀକ୍ଷା କରିଥିଲେ।
ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା କୋର୍ଟ ପରିସରରେ ସଂପୂର୍ଣ୍ଣ ତଲାଶି ହୋଇଥିଲା। ତେବେ, ଏହି ଘଟଣାରେ କୋର୍ଟର କାର୍ଯ୍ୟକଳାପ ସେତେଟା ପ୍ରଭାବିତ ହୋଇନଥିଲା।ଏହି ଧମକ ଘଟଣା ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଜଷ୍ଟିସ୍ କେ.ଆର୍. ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟ ସିକ୍ୟୁରିଟି କମିଟିର ବୈଠକ ହୋଇଥିଲା। ଏଥିରେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ୍ ଭି. ନରସିଂହ ସହ ଅଗ୍ନିଶମ ଡିଜି, କ୍ରାଇମବ୍ରାଞ୍ଚ ଡିଜି, କଟକ ଡିସିପି ଓ ଗୁଇନ୍ଦା ବିଭାଗର ଏସ୍ପି ଉପସ୍ଥିତ ଥିଲେ। କୋର୍ଟର ସୁରକ୍ଷାକୁ ଆଉ କଡ଼ା କରିବା ନେଇ ଏହି ବୈଠକରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ଅଜଣା ଇ-ମେଲ୍ ମାଧ୍ୟମରେ ଆତଙ୍କ ସୃଷ୍ଟି କରାଯିବା ଆତଙ୍କବାଦୀମାନଙ୍କର ଏକ ଚାଳ। କିନ୍ତୁ ସରକାର ଏହାକୁ ହାଲକାଭାବେ ନେଉନାହିଁ। କେନ୍ଦ୍ର ସରକାରଙ୍କ ସହଯୋଗରେ ମେଲ୍ର ଉତ୍ସ ଓ ପଠାଇଥିବା ଅପରାଧୀଙ୍କ ପରିଚୟ ଖୋଜିବାକୁ ଗଭୀର ତଦନ୍ତ ଚାଲିଛି।
ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମାମଲାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।ଅନ୍ୟପଟେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଆତଙ୍କବାଦୀ ପ୍ରୟାସରେ ଯେମିତି ସୁରକ୍ଷା ବ୍ୟବସ୍ଥା ଭଙ୍ଗ ନ ହେବ, ସେଥିପାଇଁ ଏକ ବିସ୍ତୃତ ପ୍ରସ୍ତାବ ତିଆରି ହେଉଛି।ସାରକଥା, ଡାର୍କ ୱେବ୍ରୁ ଆସୁଥିବା ଏଭଳି ଧମକପୂର୍ଣ୍ଣ ମେଲ୍ ରାଜ୍ୟର ସୁରକ୍ଷା ପାଇଁ ଏକ ନୂଆ ଆହ୍ୱାନ ସୃଷ୍ଟି କରିଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରଣ ବା ସନ୍ଦିଗ୍ଧ ବସ୍ତୁ ମିଳିନାହିଁ, ତଥାପି ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାକୁ ଗମ୍ଭୀରତାର ସହିତ ନେଇ ସୁରକ୍ଷାକୁ ସର୍ବାଧିକ କଡ଼ା କରିଛନ୍ତି।

