Tue. Feb 24th, 2026

ନ୍ୟୁଜ ଡେକ୍ସ : ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌କୁ ନଜରରେ ରଖି, କ୍ରୁଟ୍ ପକ୍ଷରୁ ଦର୍ଶକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ସଟଲ୍ ବସ୍ ସେବା ଆରମ୍ଭ କରାଯିବ। ମ୍ୟାଚ୍‌କୁ ନେଇ ସହରରେ ବ୍ୟାପକ ଉତ୍ସାହ ଥିବା ବେଳେ, ଯାତାୟାତ ଓ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏହି ବିଶେଷ ବ୍ୟବସ୍ଥା କରାଯାଇଛି।ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରୁ କଟକ ରେଳଷ୍ଟେସନ୍‌ରୁ ସଟଲ୍ ବସ୍ ସେବା ଆରମ୍ଭ ହେବ।

ରେଳଷ୍ଟେସନ୍, ସିଏନବିଟି ଓ ବାରବାଟୀ ଷ୍ଟାଡିୟମ୍ ଅଞ୍ଚଳରେ ଥିବା ଜନଗହଳିକୁ ଦୃଷ୍ଟିରେ ରଖି ବସ୍‌ର ଚଳାଚଳ ବ୍ୟବସ୍ଥା କରାଯିବ। ମ୍ୟାଚ୍ ଶେଷ ପରେ ମଧ୍ୟ ଟ୍ରାଫିକ୍ ପ୍ରବାହକୁ ସୁଚାରୁ ରଖିବା ପାଇଁ ବାରବାଟୀ ଷ୍ଟାଡିୟମ୍‌ରୁ ସଟଲ୍ ବସ୍ ସେବା ଜାରୀ ରହିବ।ବାରବାଟୀ ଷ୍ଟାଡିୟମ୍‌ରୁ କଟକ ରେଳଷ୍ଟେସନ୍‌କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି— ଗଡଗଡିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡି, ଲିଙ୍କ ରୋଡ୍ ଓ ଓଏମପି ଛକ। ଏହି ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିଛି। ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ଚାଲିବ।ରୁଟ୍-୦୧: ବାରବାଟୀ ଷ୍ଟାଡିୟମ୍‌ରୁ ବିଏସଏବିଟି, ବରମୁଣ୍ଡା (ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଓ ଜୟଦେବ ବିହାର ଦେଇ)।ରୁଟ୍-୦୨: ବାରବାଟୀ ଷ୍ଟାଡିୟମ୍‌ରୁ ଭୁବନେଶ୍ୱର ରେଳଷ୍ଟେସନ୍ (ସିଏନବିଟି, ଲିଙ୍କ ରୋଡ୍ ଓ ଜାତୀୟ ରାଜପଥ ଦେଇ)।

ଉଭୟ ରୁଟ୍ ପାଇଁ ଫ୍ଲାଟ୍ ଭଡ଼ା ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ପ୍ରତି ୨୦ ମିନିଟ୍ ଅନ୍ତରରେ ବସ୍ ଚଳାଚଳ କରିବ।ଏହା ସହିତ ବର୍ତ୍ତମାନ ଚାଲୁଥିବା ‘ଆମ ବସ୍’ ସେବା ମଧ୍ୟ ପୂର୍ବଭଳି ଭୁବନେଶ୍ୱର–କଟକ ମଧ୍ୟରେ ଜାରୀ ରହିବ। ରୁଟ୍ ୧୦, ୧୫, ୧୬, ୧୭, ୧୮, ୧୯ ଓ ୮୨ ରେ ଦୈନନ୍ଦିନ ଭଳି ଯାତ୍ରୀ ସେବା ମିଳିବ। ସେହିପରି କଟକ ଜିଲ୍ଲାର ଆଭ୍ୟନ୍ତରୀଣ ସଂଯୋଗ ପାଇଁ ରୁଟ୍ ୮୧ (ବାରବାଟୀ–ସାଲେପୁର), ରୁଟ୍ ୮୬ (ଚହଟା ଘାଟ–କଟକ ରେଳଷ୍ଟେସନ୍) ଓ ରୁଟ୍ ୮୮ ମଧ୍ୟ ଚଳାଚଳ କରିବ। କ୍ରୁଟ୍ ପକ୍ଷରୁ ଅନୁରୋଧ କରାଯାଇଛି ଯେ, ଦର୍ଶକମାନେ ବ୍ୟକ୍ତିଗତ ବାହନର ବ୍ୟବହାର କମ୍ କରି ସ୍ୱତନ୍ତ୍ର ସଟଲ୍ ବସ୍ ସେବାର ଲାଭ ଉଠାଇ ଯାତାୟାତକୁ ସୁଚାରୁ ରଖିବାରେ ସହଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *