Wed. Feb 25th, 2026

ନ୍ୟୁଜ ଡେକ୍ସ : କଟକ ମହାନଗର ନିଗମ (CMC) ଅନ୍ତର୍ଗତ କଦମ-ଏ-ରସୁଲ ଗଳି ପାଖରେ ଥିବା ବ୍ରାହ୍ମଣ ସାହିରେ ଜଣ୍ଡିସ ରୋଗ ତୀବ୍ର ଭାବେ ବ୍ୟାପି ପଡ଼ିବାରୁ ଅଞ୍ଚଳବାସୀମାନଙ୍କ ମଧ୍ୟରେ ଭୟ ଓ ଅଶାନ୍ତି ଦେଖାଦେଇଛି। ସ୍ଥାନୀୟ ଉତ୍ସମାନଙ୍କ ଅନୁସାରେ, ଏ ପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ଦୂଷିତ ପାଣି ପିଇବା, ଡ୍ରେନର ଅନିୟମିତ ସଫେଇ ଓ ନର୍ଦ୍ଦମା ଭିତରକୁ ପାଣି ପାଇପ ଯୋଗ ହେବାକୁ ନେଇ ଏହି ସଂକ୍ରମଣ ବ୍ୟାପିଛି।

ପ୍ରାୟ ଏକମାସ ହେଉ ଲକ୍ଷଣ ଦେଖାଦେଇଥିଲେ ମଧ୍ୟ CMC ପକ୍ଷରୁ ଆଜିଯାଏ କୌଣସି ପଦକ୍ଷେପ ନ ନିଆଯାଇବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।ଯାହାହେଉ, ଆଜି ସକାଳୁ ସକାଳୁ CMC ମେଘା ଟିମ୍ ବ୍ରାହ୍ମଣ ସାହିରେ ପହଁଚି ଡ୍ରେନ ସଫା କାମ ଆରମ୍ଭ କରିଛି। ନର୍ଦ୍ଦମା ଭିତରେ ଗଲାଣି ପାଣି ପାଇପଗୁଡିକୁ କାଟି ବାହାର କରାଯାଇଛି ଯାହା ଦ୍ୱାରା ପାଣିର ଦୂଷଣ ଅଟକିବ ବୋଲି ଅଧିକାରୀମାନେ କହିଛନ୍ତି। ସିଏମସି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପ୍ରଭାବିତ ଅଞ୍ଚଳର ଘରେଘରେ ପହଁଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ପରିସ୍ଥିତିର ଗମ୍ଭୀରତାକୁ ଦେଖି କଟକ ମେୟର ଲୋକମାନଙ୍କୁ ଚେତାବନୀ ଦେଇ କହିଛନ୍ତି— “କୌଣସି ଲକ୍ଷଣ ଦେଖାଦେଲେ ଗୁଣିଗାରେଡ଼ି ନକରି, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।”ଅଞ୍ଚଳର ପରିସ୍ଥିତିକୁ ନଜରରେ ରଖି, CMC ନିୟମିତ ଡ୍ରେନ ସଫେଇ, ପାଣି ଯୋଗାଣ ଯାଞ୍ଚ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଯୋଜନା କରିଛି।

Leave a Reply

Your email address will not be published. Required fields are marked *