ନ୍ୟୁଜ ଡେକ୍ସ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଓ ଗୋଛାପଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ଶିକ୍ଷକ ଦୁଷ୍କର୍ମ କରିଥିବା ଗୁରୁତର ଅଭିଯୋଗ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୨୧ ତାରିଖରେ ଛାତ୍ରୀଜଣକ ଫୁଲବାଣୀରେ ଆୟୋଜିତ ବିଜ୍ଞାନ ମେଳାରେ ଭାଗ ନେବା ପାଇଁ ସଂପୃକ୍ତ ଶିକ୍ଷକଙ୍କ ସହ ଯାଇଥିଲେ।
ସନ୍ଧ୍ୟାବେଳେ ଫେରୁଥିବା ସମୟରେ ଅନ୍ଧାର ହୋଇଯାଇଥିବାର ସୁଯୋଗ ନେଇ ଶିକ୍ଷକ ତାଙ୍କୁ ଏକ ନିଛାଟିଆ ଜଙ୍ଗଲ ଅଞ୍ଚଳକୁ ନେଇ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଏହି ଘଟଣା ବିଷୟରେ କାହାକୁ କିଛି ନ କହିବାକୁ ଧମକ ଦେଇ ଘରେ ଛାଡି ଦେଇଥିବା କୁହାଯାଉଛି।ଏହାପରେ ସ୍କୁଲ ପରିସରରେ ମଧ୍ୟ ଛାତ୍ରୀଙ୍କ ସହ ଅନେକଥର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ରହିଛି।
କିଛିଦିନ ହେବ ଛାତ୍ରୀଜଣକ ଅସୁସ୍ଥ ଅନୁଭବ କରୁଥିବାରୁ ପରିବାରଲୋକ ତାଙ୍କୁ ପଚାରାପଚେନ୍ଦ କରିଥିଲେ। ତାହାପରେ ସେ ସମଗ୍ର ଘଟଣା ବିଷୟରେ ପରିବାରକୁ ଜଣାଇଥିଲେ।ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏତଲା ଦିଆଯିବା ପରେ ପୋଲିସ ମାମଲା ରୁଜୁ କରି ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚାଲାଇଛି। ଘଟଣାର ସତ୍ୟତା ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

