ନ୍ୟୁଜ ଡେକ୍ସ :କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାବାହିନୀ ମାଓଶିବିର ଧ୍ୱଂସ କରିଛନ୍ତି। ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କେକେବିଏନ୍ ମାଓ ଡିଭିଜନର ଡେପୁଟି କମାଣ୍ଡର୍ ଜଗେଶ ଓ ମହିଳା କ୍ୟାଡର୍ ରତ୍ନା ନିହତ ହୋଇଥିବା ସୂଚନା ମିଳିଛି।
ଉଭୟେ ସୁକମା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।ଜଗେଶଙ୍କ ମୁଣ୍ଡ ଉପରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିବାବେଳେ ରତ୍ନାଙ୍କ ମୁଣ୍ଡ ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ପୁରସ୍କାର ଘୋଷିତ ଥିଲା। ଅଭିଯାନ ସମୟରେ ମାଓଶିବିରରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ୟୁବିଜିଏଲ, ଗୋଟିଏ ୭.୬୨ ଏମଏମ ଗୁଳିଭର୍ତ୍ତି ରାଇଫଲ, ଗୋଟିଏ ଇନସାସ ମାଗାଜିନ, ୨ଟି ଏସଏଲଆର ମାଗାଜିନ, ଗୋଟିଏ ଏକେ-୪୭ ମାଗାଜିନ, ୬ଟି ୟୁବିଜିଏଲ ଗ୍ରେନେଡ, ୧୧ଟି ଏକେ-୪୭ ବଲ ଆମ୍ୟୁନିସନ, ୪ଟି ଇନସାସ ବଲ ଆମ୍ୟୁନିସନ, ୪ଟି ଏସଏଲଆର ବଲ ଆମ୍ୟୁନିସନ, ୩ଟି ଡିଟୋନେଟର ସହ କୋଡେକ୍ସ, ମାଗାଜିନ ପାଉଚ, ହାଭରସାକ ବ୍ୟାଗ, ୱାକିଟକି, ସୋଲାର ପ୍ୟାନେଲ, ଟର୍ଚ୍ଚ, ପାୱାରବ୍ୟାଙ୍କ, ମାଓ ପତ୍ରିକା, କାଲକୁଲେଟର, ଔଷଧ, ପଲିଥିନ, ଜୋତା, ବାସନକୁସନ, ଛତା ଓ ଶୀତବସ୍ତ୍ର ଜବତ କରାଯାଇଛି।
ଏନେଇ ଫୁଲବାଣୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଗତ ୨୦ ତାରିଖ ରାତିରେ ସିଆରପିଏଫ, ଏସଓଜି ଓ ଡିଭିଏଫର ଯୁକ୍ତ ଦଳ ସର୍ଚ୍ଚ ଅପରେସନ ଚାଲାଇଥିଲା। ଏ ସମୟରେ ମାଓବାଦୀମାନଙ୍କ ସହ ମୁହାଁମୁହିଁ ହୋଇ ଗୁଳିବିନିମୟ ଘଟିଥିଲା। ଦୁଇ ମାଓ କ୍ୟାଡର ନିହତ ହୋଇଥିବା ବେଳେ ଅନ୍ୟମାନେ ଜଙ୍ଗଲ ମଧ୍ୟରେ ଛତ୍ରଭଙ୍ଗ ହୋଇ ପଳାଇଯାଇଥିବା କୁହାଯାଇଛି।ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅଭିଯାନ ଜାରି ରହିଛି ଏବଂ ସୁରକ୍ଷା ବ୍ୟବସ୍ଥା କଠିନ କରାଯାଇଛି।

