Sat. Feb 21st, 2026

ନ୍ୟୁଜ ଡେକ୍ସ : କଳାହାଣ୍ଡି ଜିଲ୍ଲାରେ ଗତ ବିଳମ୍ବିତ ରାତିରେ ଘଟିଥିବା ଏକ ଭୟାବହ ବାଇକ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ପଞ୍ଚାୟତର ଭାଲୁପଡା ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବାରୁ ୨ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ମୃତକମାନେ ହେଲେ କେନ୍ଦୁଡୋଙ୍ଗରି ଗ୍ରାମର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ, ଯାହାଙ୍କୁ ଲୋକେ ‘କୁନା’ ବୋଲି ଡାକୁଥିଲେ।

ଉଭୟ ଭଇରୀପାଲି ଗ୍ରାମରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ରାତିରେ ଘରକୁ ଫେରୁଥିବା ସମୟରେ ସୁନାମାଲ–ଭାଲୁପଡା ରାସ୍ତାର ଏକ ବୁଲାଣି ନିକଟରେ ଏହି ଦୁର୍ଘଟଣା ଘଟିଥିଲା।ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ବାଇକ ତୀବ୍ରଗତିରେ ଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାଶରେ ପଡ଼ିଯାଇଥିଲା। ବାଇକରୁ ଛିଟିକି ପଡ଼ି ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ସ୍ଥଳ ଏକ ନିର୍ଜନ ଅଞ୍ଚଳ ହେଉଥିବାରୁ ରାତି ତମାମ କାହାର ନଜରକୁ ଏହି ଘଟଣା ଆସିନଥିଲା। ଆଜି ସକାଳେ କିଛି ସ୍ଥାନୀୟ ଲୋକ ରାସ୍ତା ପାଖରେ ଦୁଇଟି ନିଷ୍ପ୍ରାଣ ଦେହ ପଡ଼ିଥିବା ଦେଖି କୋକସରା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ସହିତ ପୁଲିସ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଜବତ କରିଥିଲା।

ପରେ ଦୁହେଁଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଯାଇଥିଲା। ଏହି ଘଟଣାକୁ ନେଇ କୋକସରା ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଏହି ହୃଦୟବିଦାରକ ଘଟଣା ପରେ କେନ୍ଦୁଡୋଙ୍ଗରି ଗ୍ରାମରେ ଶୋକର ଛାୟା ନମିଆସିଛି। ଯୁବ ବୟସରେ ଦୁଇ ଜଣ ଯୁବକଙ୍କ ଏପରି ଆକସ୍ମିକ ମୃତ୍ୟୁ ପରିବାର ସହ ସମଗ୍ର ଅଞ୍ଚଳକୁ ମର୍ମାହତ କରିଛି।

Leave a Reply

Your email address will not be published. Required fields are marked *