Sat. Feb 28th, 2026

ନ୍ୟୁଜ ଡେକ୍ସ : କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀ ଭାରତରେ ପହଞ୍ଚିଛନ୍ତି। ସେ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ରହିବେ। ଶୁକ୍ରବାର ସେ ତାଙ୍କ ପତ୍ନୀ ଡାଏନା ଫକ୍ସ କାର୍ନିଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଏହା କାର୍ନିଙ୍କର ପ୍ରଥମ ଭାରତ ଗସ୍ତ।

ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତ ଓ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପୁନଃନିର୍ମାଣ କରିବା ସହ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା। ଭାରତର ଆର୍ଥିକ ରାଜଧାନୀରୁ ଯାତ୍ରା ଆରମ୍ଭ କରି କାର୍ନି ଅର୍ଥନୈତିକ ସମନ୍ୱୟକୁ ପ୍ରାଥମିକତା ଦେଇଛନ୍ତି। ପ୍ରଥମ ଦୁଇ ଦିନ ସେ କାନାଡିଆନ୍ ପେନସନ୍ ପାଣ୍ଠିର ପ୍ରତିନିଧି, ସିଇଓ ଓ ଆର୍ଥିକ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ନିବେଶ ଓ ବ୍ୟବସାୟ ପାଇଁ ଏକ ଦୃଢ଼ ପରିବେଶ ସୃଷ୍ଟି ଉପରେ ଆଲୋଚନା କରିବେ।ତାଙ୍କ ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ହେବ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରତିନିଧିସ୍ତରୀୟ ଆଲୋଚନା। ୨୦୨୫ ମସିହାରେ କାନାନାସ୍କିସ୍ ଏବଂ ଜୋହାନ୍ସବର୍ଗରେ ହୋଇଥିବା ପୂର୍ବ ଆଲୋଚନାର ପରବର୍ତ୍ତୀ ପଦକ୍ଷେପ ଭାବେ ଏହାକୁ ଦେଖାଯାଉଛି।

ମାର୍ଚ୍ଚ ୨ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆଲୋଚନାରେ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଗବେଷଣା ଓ ନବୀନତା ଭଳି କ୍ଷେତ୍ରରେ ଭାରତ-କାନାଡା ରଣନୈତିକ ସହଭାଗୀତା ସମୀକ୍ଷା କରାଯିବ। ସେହିପରି ଭାରତ-କାନାଡା ସିଇଓ ଫୋରମ୍ ମାଧ୍ୟମରେ ଘରୋଇ କ୍ଷେତ୍ରର ସ୍ୱାର୍ଥ ସହ ସରକାରୀ ନୀତିଗୁଡ଼ିକୁ ସମନ୍ୱିତ କରିବା ଉଦ୍ୟମ ହେବ।ଗତ କିଛି ବର୍ଷ ଧରି ଦୁଇ ଦେଶର ସମ୍ପର୍କରେ ତୀବ୍ର ଅବନତି ଦେଖାଯାଇଥିଲା।

ପୂର୍ବ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସରକାର ଦ୍ୱାରା ଲଗାଯାଇଥିବା କିଛି ଅଭିଯୋଗ ନେଇ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା ଏବଂ ଦୁଇ ଦେଶ ପାରସ୍ପରିକ ଭାବେ କୂଟନୀତିକମାନଙ୍କୁ ବହିଷ୍କାର କରିଥିଲେ। ଏବେ ବରିଷ୍ଠ କାନାଡିୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଭାରତଙ୍କୁ କାନାଡାରେ ହୋଇଥିବା କୌଣସି ଅପରାଧ ସହ ଜଡିତ ବୋଲି ବିଶ୍ୱାସ କରୁନାହାନ୍ତି।ଏହି ପରିପ୍ରେକ୍ଷିତରେ କାର୍ନିଙ୍କ ଏହି ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କର ନୂତନ ଅଧ୍ୟାୟ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *