Mon. Dec 23rd, 2024

ନ୍ୟୁଜ ବ୍ୟୁରୋ: ଧର୍ମମାସ କାର୍ତ୍ତିକର ଆଜି ତୃତୀୟ ସୋମବାର। ଗତ ଦୁଇ ସୋମବାର ଭଳି ଆଜି ମଧ୍ୟ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ପୂଜକ ସମାଜ ଓ ଦେବୋତ୍ତର ବିଭାଗ ପକ୍ଷରୁ ଠାକୁରଙ୍କ ନୀତିପାଳିଆ ଦ୍ୱାରା ଭୋର୍‌ ୪ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ଠାକୁରଙ୍କ ପହଡ଼ ଖୋଲା ଯାଇଥିଲା।

୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯିବା ପରେ ମଙ୍ଗଳଆଳତୀ, ମଇଲମ୍‌‌, ବାଳଭୋଗ ଆଦି ନୀତିକାନ୍ତି ସମ୍ପନ୍ନ ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। କାର୍ତ୍ତିକ ସୋମବାର ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି। କାର୍ତ୍ତିକ ସୋମବାରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ସମ୍ପନ୍ନ ହେବା ପରେ ଠାକୁରଙ୍କ ନିକଟରେ ଦୈନନ୍ଦିନ ନୀତିଭୋଗ ଲାଗି ହୋଇଥିଲା। ପ୍ରତ୍ୟୁଷ ୫ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା।

କାର୍ତ୍ତିକ ମାସ ସୋମବାର ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ପୀଠରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଠାକୁରଙ୍କ ପୁନଃ ସ୍ନାନ, ଫୁଲଚନ୍ଦନ ଲାଗି, ବାଳଭୋଗ ଅର୍ପଣ ଓ ସନ୍ଧ୍ୟା ଆଳତି ପରେ ପୀଠରେ ଧବଳେଶ୍ୱରଙ୍କ ପଞ୍ଚାନନ ମେଳା ଅନୁଷ୍ଠିତ ହେବ। ସେପଟେ ଭିଡକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ନିୟୋଜିତ ହୋଇଛନ୍ତି l ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ଦର୍ଶନ କରୁଛନ୍ତି।

Leave a Reply

Your email address will not be published. Required fields are marked *