ନ୍ୟୁଜ ଡେକ୍ସ: ଆଜି କାର୍ତ୍ତିକ ମାସର ଶେଷ ସୋମବାର। ଏଥିଲାଗି ସକାଳୁ ସକାଳୁ ଆଠଗଡର ବାବା ଧବଳେଶ୍ଵରଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଭକ୍ତମାନେ ଲମ୍ବା ଧାଡିରେ ଯାଇ ବାବାଙ୍କ ଆଶିଷ ନେଉଛନ୍ତି । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜି ରାତି ପ୍ରାୟ ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ଧବଳେଶ୍ୱରଙ୍କୁ ମହାସ୍ନାନ କରାଯାଇଥିଲା। ପରେ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କାର୍ତ୍ତିକ ସୋମବାରରେ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ଏଥିପାଇଁ କାର୍ତ୍ତିକ ମାସ ସାରା ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପ୍ତି ଲାଭ କରିଛନ୍ତି।