ନ୍ୟୁଜ ଡେକ୍ସ: ମେ ୮ରୁ ୧୩ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି। ୯ରୁ ୧୨ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନୀ ଡ. ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୮ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବ । ୯ ଓ ୧୦ ତାରିଖରେ ବି ଏହି ସବୁ ଜିଲ୍ଲାରେ ଗୁଳୁଗୁଳି ଜାରି ରହିବ । ୯ ତାରିଖରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ହେବ । ୧୧ ଓ ୧୨ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।
ଏଥର ମୌସୁମୀ ଆଗୁଆ ଆସିବ ବୋଲି ପାଣିପାଗ ବିଜ୍ଞାନୀ ଡ. ଦାସ ଆକଳନ କରିଛନ୍ତି । ତେବେ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ସତର୍କତା ଜାରି କରାଯାଇଛି। ଫଳରେ ସାରା ରାଜ୍ୟରେ ଦିନର ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ। ଅପରପକ୍ଷରେ ମେ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ଗରମ ଦିନ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
