Sat. Feb 21st, 2026

ନ୍ୟୁଜ ଡେକ୍ସ : ବଲିଉଡର ‘କିଙ୍ଗ ଖାଁ’ ଶାହାରୁଖ ଖାଁ ଏବେ ତାଙ୍କ ଆଗାମୀ ମେଗା ପ୍ରୋଜେକ୍ଟ ‘କିଙ୍ଗ’କୁ ନେଇ ଜୋରଦାର ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ତାଙ୍କ କନ୍ୟା ସୁହାନା ଖାଁ ସହ ଏକାଠି ଅଭିନୟ କରୁଥିବାବେଳେ, ମୁଖ୍ୟ ନାୟିକା ଭୂମିକାରେ ଦୀପିକା ପାଦୁକୋନ ଦେଖାଯିବେ। ଏହି ଫିଲ୍ମକୁ ନେଇ ପ୍ରେକ୍ଷକ ଓ ଫ୍ୟାନ୍‌ମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଉଛି।

ଏହି ସମୟରେ ଶାହାରୁଖଙ୍କ ୨୦୨୩ ମସିହାର ଦୁଇଟି ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ଓ ‘ଜୱାନ’ର ସୀକ୍ୱେଲକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି। ବିଶେଷକରି ‘ଜୱାନ’ ବକ୍ସ ଅଫିସରେ ରେକର୍ଡ ଭଙ୍ଗା ସଫଳତା ହାସଲ କରିଥିବାରୁ, ଏହାର ସୀକ୍ୱେଲ ନେଇ ଫ୍ୟାନ୍‌ମାନେ ବହୁତ ଆଶା କରୁଥିଲେ।ଏହି ମଧ୍ୟରେ ‘ଜୱାନ’ର ନିର୍ଦ୍ଦେଶକ ଅଟଲୀ କୁମାର ଏହାର ସୀକ୍ୱେଲ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ,“ମୁଁ ଓ ଶାହାରୁଖ ଏବେ ଜୱାନ ୨ ଉପରେ କାମ କରୁ ନାହୁଁ। ଏହା ଆରମ୍ଭ ହେବାକୁ ନିଶ୍ଚିତ ଭାବେ ଆଉ କିଛି ବର୍ଷ ସମୟ ଲାଗିବ। ତେବେ ଭବିଷ୍ୟତରେ ଶାହାରୁଖଙ୍କ ସହ ଅନ୍ୟ ଏକ ପ୍ରୋଜେକ୍ଟରେ ମୁଁ ନିଶ୍ଚିତ କାମ କରିବି।” ସେହିପରି ‘ଡନ ୩’କୁ ନେଇ ଚାଲିଥିବା ଗୁଜବକୁ ମଧ୍ୟ ଅଟଲୀ ସଫାସଫା ଭାବେ ଖଣ୍ଡନ କରିଛନ୍ତି। କିଛି ରିପୋର୍ଟରେ କୁହାଯାଉଥିଲା ଯେ ଫରହାନ ଅଖତାରଙ୍କ ‘ଡନ ୩’ରୁ ରଣବୀର ସିଂ ଓହରିଯିବା ପରେ, ଶାହାରୁଖଙ୍କୁ ଫେରାଇ ଆଣିବା ପାଇଁ ଅଟଲୀଙ୍କୁ ସାମିଲ କରାଯିବ।

କିନ୍ତୁ ଅଟଲୀ ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି କହିଛନ୍ତି।ସେ ସ୍ପଷ୍ଟ କରିଛନ୍ତି ଯେ ସେ ‘ଡନ ୩’ ସହ କୌଣସି ଭାବେ ଜଡିତ ନାହାନ୍ତି ଏବଂ ବର୍ତ୍ତମାନ ସେ ଦକ୍ଷିଣ ଭାରତର ଅନ୍ୟ ଏକ ବଡ଼ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି।ଏହା ସହିତ ସ୍ପଷ୍ଟ ହୋଇଯାଇଛି ଯେ, ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଶାହାରୁଖ ଖାଁଙ୍କ ମୁଖ୍ୟ ଧ୍ୟାନ ‘କିଙ୍ଗ’ ଓ ଅନ୍ୟ ନୂଆ ପ୍ରୋଜେକ୍ଟ ଉପରେ ରହିବ। ‘ଜୱାନ ୨’ ଓ ‘ଡନ ୩’କୁ ନେଇ ଯେଉଁ ଗୁଜବ ଚାଲିଥିଲା, ସେଗୁଡିକୁ ଅଟଲୀଙ୍କ ସ୍ପଷ୍ଟିକରଣ ପରେ ପ୍ରାୟ ସମାପ୍ତ ହୋଇଯାଇଛି।

Leave a Reply

Your email address will not be published. Required fields are marked *