Sun. Feb 22nd, 2026

ନ୍ୟୁଜ ଡେକ୍ସ : ବିଶ୍ୱମୁକ୍ତି, କିଟ୍‌ ଓ କିସ୍‌ର ମିଳିତ ଅନୁକୂଲ୍ୟରେ କିଟ୍‌ ପରିସରରେ ନବମ ତ୍ରିଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଏବଂ ବହୁଭାଷୀ କାବ୍ୟ ପାଠ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବର ମୂଳ ବିଷୟବସ୍ତୁ ହେଉଛି— “ବିଶ୍ୱ ଶାନ୍ତି ଏବଂ ସଦଭାବନା ୨୦୨୫–୨୬: ସ୍ଥାୟୀ ସହାବସ୍ଥାନ ଓ ପଥ”।

ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ କହିଲେ, ବିଶ୍ୱରେ ବଢ଼ୁଥିବା ଭୟ ଓ ଅସ୍ଥିରତାର ପରିବେଶ ମଧ୍ୟରେ ଶାନ୍ତି ସ୍ଥାପନ ଆଜି ସବୁଠାରୁ ଆବଶ୍ୟକ। ଶାନ୍ତି କେବଳ କଥାରେ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସଚେତନ ଭୂମିକା ଓ ସାମୂହିକ ପ୍ରୟାସରେ ହିଁ ସାକାର ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।ସମ୍ମାନୀୟ ଅତିଥି ନର୍ଥ ଇଷ୍ଟ ପାୱାର କର୍ପୋରେସନ୍‌ (ନିପକୋ)ର ଅର୍ଥ ନିର୍ଦ୍ଦେଶକ ବୈଦ୍ୟନାଥ ମହାରଣା କହିଥିଲେ, ଓଡ଼ିଶା ତାଙ୍କ ପାଇଁ ସବୁଠାରୁ ପ୍ରିୟ ଭୂମି। ନିପକୋ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ଉଲ୍ଲେଖ କରିଥିଲେ। ଅନ୍ୟତମ ଅତିଥି ସିଏସଆଇଆର-ଆଇଏମଏମଟି, ଭୁବନେଶ୍ୱରର ନିର୍ଦ୍ଦେଶକ ଡ଼. ରାମାନୁଜ ନାରାୟଣ କହିଲେ, ସ୍ଥାୟୀ ବିକାଶ ଓ ସକାରାତ୍ମକ ଭାବନା ସୃଷ୍ଟିରେ କିଟ୍‌ ଓ କିସ୍‌ର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ।

ସକାରାତ୍ମକ ଚିନ୍ତାଧାରା ଭାରତୀୟ ସଭ୍ୟତାର ମୂଳ ଆଧାର ବୋଲି ସେ କହିଥିଲେ।ବିଶ୍ୱମୁକ୍ତି ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣୀ ସ୍ୱାଗତ ଭାଷଣ ଦେଇ ବିଷୟବସ୍ତୁର ଗୁରୁତ୍ୱ ବ୍ୟାଖ୍ୟା କରିଥିବା ବେଳେ, ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ ଅଧ୍ୟକ୍ଷତା କରି ସମାଜର ସମସ୍ତ ସ୍ତରରେ ହିନ୍ଦୀ ଭାଷାର ବ୍ୟାପକ ପ୍ରଚାର ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ସଂଗୋଷ୍ଠୀ ଓ କାବ୍ୟ ଉତ୍ସବ ମାଧ୍ୟମରେ ଶାନ୍ତି, ସହଯୋଗ ଓ ସଦଭାବନାର ସନ୍ଦେଶ ବିଶ୍ୱଦରବାରକୁ ପହଞ୍ଚିବ ବୋଲି ଆୟୋଜକମାନେ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *