ନ୍ୟୁଜ ଡେକ୍ସ : ରାଜ୍ୟରେ କିଟ୍ (କଳିଙ୍ଗ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡସ୍ଟ୍ରିଆଲ୍ ଟେକ୍ନୋଲୋଜି) ଓ କିସ୍ (କଳିଙ୍ଗ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍) ପକ୍ଷରୁ ସୋମବାର ୩୨ଜଣ ପୂର୍ବତନ ଖେଳାଳିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି ଖେଳାଳିମାନେ ଏବେ କିଟ୍ ଓ କିସ୍ର କ୍ରୀଡ଼ା ବିଭାଗର ବିଭିନ୍ନ ପଦପଦବିରେ କାର୍ଯ୍ୟଭାର ଗ୍ରହଣ କରିବେ ।
ଏହି ପଦକ୍ଷେପ ଦ୍ୱାରା ସଂସ୍ଥା ନା କେବଳ କ୍ରୀଡ଼ା ଉତ୍କର୍ଷତାକୁ ସମ୍ମାନ ଦେଉଛି, ବରଂ ପୂର୍ବତନ ଖେଳାଳିଙ୍କ ବୃତ୍ତିଗତ ଜୀବନକୁ ସୁନିଶ୍ଚିତ କରିବାର ଦୃଢ଼ ପ୍ରତିବଦ୍ଧତା ମଧ୍ୟ ଦର୍ଶାଉଛି ।ନିଯୁକ୍ତି ପାଇଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି – ଯୁବ କ୍ରିକେଟର୍ କୁନି ଭଦ୍ରା, ଜାତୀୟସ୍ତରୀୟ ଚେସ୍ ଖେଳାଳି ଉମା ଦଳପତି, ରଗ୍ବି ଖେଳାଳି ମକରଦ ପ୍ରଧାନ, ଖୋ ଖୋ ଖେଳାଳି ଜଗନ୍ନାଥ ମାଝୀ ଓ ହକି ତାରକା ସରିତା ଏକ୍କା । ଏହାସହ ଅନ୍ତର୍ଜାତୀୟ ତୀରନ୍ଦାଜ ରାହୁଳ ବାନାର୍ଜୀ ଓ ଅନ୍ୟ ଖ୍ୟାତିସଂପନ୍ନ ପ୍ରଶିକ୍ଷକମାନେ ମଧ୍ୟ ବିଭିନ୍ନ ଖେଳର ପରାମର୍ଶଦାତା ଭାବେ ଯୋଗ ଦେଇଛନ୍ତି ।
କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଏହି ସମାରୋହରେ ସୂଚନା ଦେଇଛନ୍ତି ଯେ, ଖୁବ୍ଶୀଘ୍ର ଆଉ ୧୫ରୁ ୨୦ ଜଣ ଖେଳାଳିଙ୍କୁ ମଧ୍ୟ କିଟ୍ ଓ କିସ୍ରେ ନିଯୁକ୍ତି ପ୍ରଦାନ କରାଯିବ । ସେ ଉଲ୍ଲେଖ କରିଛନ୍ତି ଯେ ନୂଆ ଯୋଗ ଦେଇଥିବା ୩୨ଜଣଙ୍କୁ ମିଶାଇ ଏବେ ମୋଟ ୩୩୭ ଜଣ କ୍ରୀଡ଼ା କର୍ମଚାରୀ କିଟ୍ ଓ କିସ୍ରେ କାର୍ଯ୍ୟରତ ଅଛନ୍ତି ।ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ନିଜେ ଜଣେ ଭଲିବଲ୍ ଖେଳାଳି ହୋଇଥିବା ବେଳେ ଯୁଗ୍ମନିର୍ଦ୍ଦେଶକ ରୁଦ୍ରକେଶ ଜେନା ମଧ୍ୟ ରଗ୍ବି ଖେଳୁଥିଲେ । ଅନ୍ୟ ଯୁଗ୍ମନିର୍ଦ୍ଦେଶକ ରଶ୍ମିତା ମହାନ୍ତି ଓଡ଼ିଶାର ପରିଚିତ ମହିଳା କ୍ରିକେଟର୍ ଭାବେ ଚିହ୍ନିତ ।
ସେ ଖେଳାଳି, ଚୟନକର୍ତ୍ତା ଓ ପ୍ରଶିକ୍ଷକ ଭାବେ ଓଡ଼ିଶାର ମହିଳା କ୍ରିକେଟ୍କୁ ଆଗକୁ ନେଇଯିବାରେ ଅଗ୍ରଣୀ ଭୂମିକା ନେଇଆସୁଛନ୍ତି ।ନିଯୁକ୍ତିପତ୍ର ଗ୍ରହଣ କରିଥିବା ସମସ୍ତ ଖେଳାଳି ଓ ପ୍ରଶିକ୍ଷକମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ସେମାନେ କହିଛନ୍ତି ଯେ ଡ. ସାମନ୍ତଙ୍କ ବଦାନ୍ୟତା ଓ ଦୃଷ୍ଟିଭଙ୍ଗି ଦ୍ୱାରା ଖେଳାଳିମାନଙ୍କ ଜୀବନ ଓ ଜୀବିକା ନୂଆ ଦିଗକୁ ଯାଉଛି । କ୍ରୀଡ଼ା ପ୍ରୋତ୍ସାହନ ସହ କିଟ୍ ଓ କିସ୍ର କ୍ରୀଡ଼ା ବିଭାଗ ଏବେ ରାଜ୍ୟ ଓ ଦେଶର ଖେଳାଳି, ପେସାଦାର ଓ ସୌଖିନ ତାରକାଙ୍କ ପାଇଁ ଏକ ନୂଆ ଆଶା ଓ ବୃତ୍ତିଗତ ପେଣ୍ଠସ୍ଥଳୀରେ ପରିଣତ ହୋଇଯାଇଛି ।

