ନ୍ୟୁଜ ଡେକ୍ସ: ସେ ଥିଲେ ‘ଦଣ୍ଡାବାଳୁଙ୍ଗା’ । ରୋମାଣ୍ଟିକ୍ ହିରୋ । ତାଙ୍କ ଅଭିନୟର ଯାଦୁ ‘ତୁଣ୍ଡବାଇଦ’ ଭଳି ଚର୍ଚ୍ଚା ହେଉଥିଲା । ‘ଅଭିମାନ’ରେ ସେ ଆସିଥିଲେ ବଡ଼ ପରଦାକୁ । ‘ବିଦ୍ୟାରାଣ’ ପକାଇ ଚାଲିଗଲେ । ଓଡ଼ିଆ ସିନେମାର କିମ୍ବଦନ୍ତୀ ପୁରୁଷ । ଓଲିଉଡ୍ ସୁପର୍ଷ୍ଟାର୍ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି । ଉତ୍ତମଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର । ପୁଅ ବାବୁଶାନଙ୍କ ସହ ପତ୍ନୀ ଅପରାଜିତା ଏକା ହୋଇପଡିଛନ୍ତି ।
ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ । ଆଉ କିଛି ସମୟ ପରେ ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ସେଠାରୁ ସିଧାସଳଖ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ନିଆଯିବ ତାଙ୍କ ପାର୍ଥିବ ଶରୀର । ସେଠାରେ ତାଙ୍କର ଶେଷ ଦର୍ଶନ ଅନୁଷ୍ଠିତ ହେବ । ଏହାପରେ ତାଙ୍କୁ ଭୁବନେଶ୍ବରସ୍ଥିତ ସତ୍ୟନଗର ଶ୍ମଶାନକୁ ଅଣା ଯିବ । ସେଠାରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଏନେଇ ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ଗୁରୁବାର ବିଳମ୍ବିତ ରାତି ୧୧ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଲିଭର୍ ସିରୋସିସ୍ ଓ ନିମୋନିଆରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ଲାଗି ଗତ ୮ ତାରିଖରେ ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇ ନୂଆଦିଲ୍ଲୀ ଯାଇଥିଲେ । ସେଠାରେ ଦୀର୍ଘ ୨୦ଦିନ ଧରି ଚିକିତ୍ସିତ ହେଉଥିଲେ । ୧୯୫୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମିତ ଉତ୍ତମ ୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତିନିବର୍ଷ ପରେ ପୁଣି ‘ପତିପତ୍ନୀ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଏହା ପରେ ସେ ଆଗକୁ ମାଡ଼ି ଚାଲିଥିଲେ । ୨୦୦ରୁ ଅଧିକ ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମା ସାଙ୍ଗକୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ଏଥିପାଇଁ ଜୀବନବ୍ୟାପୀ ସେ ଯେତିକି ପ୍ରଶଂସା ସାଉଁଟିଥିଲେ, ସେତିକି ପୁରସ୍କାର ପାଇଥିଲେ । ସିନେମା ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’, ‘ସୁନା ଚଢ଼େଇ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ବେଳେ ‘ତୋ ବିନୁ ଅନ୍ୟଗତି ନାହିଁ’ ପାଇଁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପୁରସ୍କାର ପାଇଥିଲେ । ୧୯୯୯ ମସିହାରେ ସେ ‘ଜୟଦେବ ପୁରସ୍କାର’ ପାଇଥିଲେ ।
