ନ୍ୟୁଜ ଡେକ୍ସ: କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୁଧବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାରରେ ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି ।
୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ (୧୫) ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫) | ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ ଟିଉସନର ପାଠ ପଢୁଥିଲେ ଦୁଇ ଜଣ ଛାତ୍ର । ଆଜି ସକାଳୁ ଦୁଇ ଜଣ ଛାତ୍ର ସରସ୍ୱତୀ ମୂର୍ତ୍ତିକୁ ନେଇ ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ହେଲେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡିଯାଇଥିଲେ ଉଭୟ ।
ଏହାପରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁଇ ମୃତ ଛାତ୍ର ଭୁବନେଶ୍ୱର ପିଚୁ ବସ୍ତି ଅଞ୍ଚଳ ବୋଲି ଜଣାପଡିଛି । ଘଟଣାରେ ବାଲିଅନ୍ତା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି ।
