ନ୍ୟୁଜ ଡେକ୍ସ: ସାମ୍ନାକୁ ଆସିଲା ରୋଚକ ଘଟଣା। ଯୌତୁକ ସାମଗ୍ରୀ ସହ ଘରର ପୋଷା କୁକୁରକୁ ସାଙ୍ଗରେ ନେଇ ଚାଲିଗଲେ ଘରର ବୋହୂ। ଆଉ ବୋହୂ କାହିଁକି ପୋଷା କୁକୁରକୁ ସାଙ୍ଗରେ ନେଇ ଗଲେ ସେଥିପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଶାଶୁ।
ସୂଚନା ଅନୁସାରେ, କଟକର ଜଣେ ମହିଳା ତାଙ୍କ ଯୌତୁକ ସାମଗ୍ରୀ ସହ ଘରର ପୋଷା କୁକୁରକୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳାଙ୍କ ଶାଶୁଘର ଲୋକେ । ବାସ୍ତବରେ ମହିଳା ଜଣଙ୍କ ନିଜ ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି । ୨୦୨୩ ମସିହାରେ ଉକ୍ତ ମହିଳା ଜଣଙ୍କ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏତଲା ଆଧାରରେ ପୋଲିସ ସମସ୍ତ ଯୌତୁକ ସାମଗ୍ରୀ ଜବତ କରିଥିଲା । ମାତ୍ର ମହିଳା ଜଣଙ୍କ ଯିବା ବେଳେ ତାଙ୍କ ସାଙ୍ଗରେ ଘରର ପୋଷା କୁକୁରକୁ ନେଇଯାଇଥିଲେ ।
ତେବେ କୁକୁରକୁ ଯୌତୁକରେ ନ ଆଣି ବି ସେ କାହିଁକି ତାକୁ ନେଲେ ସେ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶାଶୁଘର ଲୋକ। ଏହି ମାମଲାରେ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ସହ ଏଭଳି ଆବେଦନ ହାଇକୋର୍ଟରେ କରି ଅଯଥା ଅଦାଲତର ସମୟ ନଷ୍ଟ କରିଛନ୍ତି ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ଏଥିସହ ଅଭିଯୋଗକାରୀଙ୍କ ଉପରେ ହଜାରେ ଟଙ୍କାର ଜୋରିମାନା କରିଛନ୍ତି ହାଇକୋର୍ଟ।
