ନ୍ୟୁଜ ଡେକ୍ସ : ହରିଦ୍ୱାର କୁମ୍ଭମେଳାର ଆଧ୍ୟାତ୍ମିକ ମହତ୍ତ୍ୱ ଓ ପବିତ୍ରତା ବଜାୟ ରଖିବା ପାଇଁ ଉତ୍ତରାଖଣ୍ଡ ସରକାର ଏକ କଠୋର ନିଷ୍ପତ୍ତି ନେଇପାରନ୍ତି। କୁମ୍ଭମେଳା ଅଞ୍ଚଳର ସମସ୍ତ ଧାର୍ମିକ ସ୍ଥଳ ସହ ଗଙ୍ଗା ନଦୀର ଘାଟଗୁଡ଼ିକୁ ଅଣହିନ୍ଦୁଙ୍କ ପାଇଁ ପ୍ରବେଶ ନିଷେଧ କରାଯାଇପାରେ।ସୂଚନା ଅନୁସାରେ, କୁମ୍ଭ କ୍ଷେତ୍ର ଭିତରେ ଥିବା ୧୦୫ଟି ଗଙ୍ଗା ଘାଟରେ ଏହି ନିୟମ ଲାଗୁ କରିବାକୁ ପ୍ରସ୍ତାବ ରହିଛି।
ହର କି ପାଉରୀ ସହ ଆଖପାଖ ଘାଟର ପରିଚାଳନା କରୁଥିବା ଶ୍ରୀ ଗଙ୍ଗା ସଭା ପକ୍ଷରୁ ଏଭଳି ଦାବି ଉଠାଯାଇଥିବା ଜଣାପଡ଼ିଛି।ଏହା ସହ ହରିଦ୍ୱାର ଓ ଋଷିକେଶ ନଗର ନିଗମ ଅଞ୍ଚଳ ସମେତ ସମଗ୍ର କୁମ୍ଭମେଳା କ୍ଷେତ୍ରକୁ ‘ପବିତ୍ର ସନାତନ ନଗରୀ’ ଭାବେ ଘୋଷଣା କରିବା ଉପରେ ମଧ୍ୟ ସରକାରୀ ସ୍ତରରେ ଆଲୋଚନା ଚାଲିଛି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ, ହରିଦ୍ୱାର ମାତା ଗଙ୍ଗା ଓ ସନ୍ଥମାନଙ୍କର ଆସ୍ଥା ସହ ଜଡିତ ଏକ ପବିତ୍ର ଭୂମି। ସେଥିପାଇଁ ଏହି ପ୍ରସ୍ତାବକୁ ଗମ୍ଭୀରତାର ସହ ବିଚାର କରାଯାଉଛି। ପବିତ୍ରତା, ପରମ୍ପରା ଓ ପୁରୁଣା ନିୟମାବଳୀକୁ ଧ୍ୟାନରେ ରଖି ସମସ୍ତ ଦିଗର ଅଧ୍ୟୟନ ଜାରି ରହିଛି।

