ନ୍ୟୁଜ ଡେକ୍ସ : ରାଜ୍ୟର ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାକୁ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। କୁମ୍ଭୀର ଗଣନା କାର୍ଯ୍ୟ ସୁଚାରୁ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ଚଳାଚଳ ଉପରେ ରୋକ ଲଗାଯାଇଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ (DFO) ସୂଚନା ଦେଇଛନ୍ତି।ଭିତରକନିକା ସଂଲଗ୍ନ ନଦୀ, ନାଳ ଓ ଖାଡ଼ିଗୁଡ଼ିକରେ କୁମ୍ଭୀରଙ୍କ ସଠିକ୍ ଗଣନା ପାଇଁ ଏହି ସମୟରେ ଡଙ୍ଗା ଓ ବୋଟ୍ ଚଳାଚଳ ଆବଶ୍ୟକ ହୋଇଥାଏ।
ପର୍ଯ୍ୟଟକ ବୋଟ୍ ଚଳାଚଳ ହେଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ସମୟରେ ପର୍ଯ୍ୟଟକମାନଙ୍କୁ ଭିତରକନିକା ଭ୍ରମଣ ନ କରିବାକୁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପଟେ, ସାତକୋଶିଆ ଗଣ୍ଡରେ ମଧ୍ୟ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ମହାନଦୀର ସାତକୋଶିଆ ଅଞ୍ଚଳରେ କେତେ କୁମ୍ଭୀର ରହୁଛନ୍ତି, ସେନେଇ ୩ ଦିନ ଧରି ଗଣନା ପ୍ରକ୍ରିୟା ଚାଲିବ। ଏହି କାର୍ଯ୍ୟ ପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସହ ମହାନଦୀ ଓ ଆଠମଲ୍ଲି ବନଖଣ୍ଡକୁ ମିଶାଇ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି।ପ୍ରତ୍ୟେକ ଟିମ୍ରେ ୪ରୁ ୫ଜଣ ବନ କର୍ମଚାରୀ ଓ ଗବେଷକ ରହିଛନ୍ତି।
ମୋଟ ୭୦ଜଣ ବନ କର୍ମଚାରୀ ଓ ବନ୍ୟପ୍ରାଣୀ ଗବେଷକ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍, ଶକ୍ତିଶାଳୀ କ୍ୟାମେରା ଓ ବାଇନାକୁଲର ସହାୟତାରେ କୁମ୍ଭୀର ଗଣନା କରାଯାଉଛି।ଗତବର୍ଷ ମହାନଦୀ ସାତକୋଶିଆ ଗଣ୍ଡରେ ମୋଟ ୧୧୫ଟି କୁମ୍ଭୀର ଚିହ୍ନଟ ହୋଇଥିଲେ। ଏହିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି କି ନାହିଁ, ଗଣନା ଶେଷ ହେବା ପରେ ସ୍ପଷ୍ଟ ହେବ।ଗଣନା ସମୟରେ ମତ୍ସ୍ୟଜୀବୀମାନଙ୍କୁ ନଦୀକୁ ନ ଯିବାକୁ ବନ ବିଭାଗ ପକ୍ଷରୁ କଡା ପରାମର୍ଶ ଦିଆଯାଇଛି। ସେହିପରି ପର୍ଯ୍ୟଟକଙ୍କ ସୁରକ୍ଷା ଓ କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁପଥର ଡ୍ୟାମ ଅଞ୍ଚଳରେ ମଧ୍ୟ ପର୍ଯ୍ୟଟକ ପ୍ରବେଶ ଉପରେ ରୋକ ଲଗାଯାଇଛି।

