ନ୍ୟୁଜ ଡେକ୍ସ : ଛଅ ମାସ ପରେ ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲି ଯାଇଛି। ଜୁନ୍ ମାସରୁ ପ୍ରାକୃତିକ କାରଣରେ ବନ୍ଦ ରହିଥିବା ଏହି ଅଭୟାରଣ୍ୟ ଶନିବାର ଦିନ ଆଧିକାରିକ ଭାବେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଏହା ସହିତ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟନପ୍ରିୟମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।
ଏବେ ଚଳିତ ବର୍ଷ ପର୍ଯ୍ୟଟକମାନେ ଗଡାଦସିମୁଲିଆ ଏବଂ ମେଚକୁଣ୍ଡ ଜଳପ୍ରପାତ ପରିଦର୍ଶନ କରିବାର ସୁଯୋଗ ପାଇବେ। ଏହା ଦ୍ୱାରା ସେମାନେ ଅଭୟାରଣ୍ୟ ଭିତରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିତଳ ପରିବେଶର ଆନନ୍ଦ ଉଠାଇପାରିବେ ବୋଲି ରେଞ୍ଜର-କମ୍-ସହାୟକ ବନ ସଂରକ୍ଷକ (ଏସିଏଫ) ସୁବ୍ରତ କୁମାର ବେହେରା ଜଣାଇଛନ୍ତି।ଏଥିସହିତ ପର୍ଯ୍ୟଟକମାନେ ରିସିଆ ନେଚର୍ କ୍ୟାମ୍ପ, ରିସିଆ ଡ୍ୟାମ୍ ଏବଂ ନିକଟବର୍ତ୍ତୀ ଜଳପ୍ରପାତଗୁଡ଼ିକ ଭ୍ରମଣ କରିପାରିବେ। ଏହା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆଣାଯାଇଥିବା ହରିଣମାନଙ୍କୁ ମଧ୍ୟ ସେଠାରେ ଦେଖିବା ସୁଯୋଗ ମିଳିବ।
ଅଭୟାରଣ୍ୟ ଭିତରେ ଏକ ନିର୍ଦ୍ଦିଷ୍ଟ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟ ବ୍ୟବସ୍ଥା ରହିଛି, ଯାହା ଦ୍ୱାରା ପର୍ଯ୍ୟଟକମାନେ ସୁବିଧାପୂର୍ବକ ଭିତରକୁ ଯାଇ ଫେରିପାରିବେ।ବନ ବିଭାଗ ପକ୍ଷରୁ ଜଣାଯାଇଛି ଯେ ଆଗାମୀ ଶୀତ ଋତୁରେ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହିତ କୁଲଡିହାରେ ଭାରି ପର୍ଯ୍ୟଟକ ଭିଡ଼ ଆଶା କରାଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ ଓ ବନ୍ୟଜୀବ ଦର୍ଶନ ପାଇଁ ଏହି ସ୍ଥାନ ପୁଣିଥରେ ଜୀବନ୍ତ ହେବାର ସମ୍ଭାବନା ଦେଖାଯାଉଛି।

