ନ୍ୟୁଜ ଡେକ୍ସ : କେନ୍ଦୁଝର ଜିଲ୍ଲା ତହସିଲ ରାଜନଗର ଅଞ୍ଚଳର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା–୧୫୮୯ର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି।
ବିଧାୟକ ନାଏକ ତାଙ୍କ ନିର୍ବାଚନ ମଣ୍ଡଳୀ ନୂଆପଡ଼ା ଅଞ୍ଚଳରେ ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା ସହ ଏହା ପାଇଁ କେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ଏହି ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଟଣା ବ୍ଲକର ୧୧,୬୮୧.୫୦ ହେକ୍ଟର, ସାହାରପଡ଼ା ବ୍ଲକର ୧,୨୪୧.୫୬ ହେକ୍ଟର, ଘଟଗାଁ ବ୍ଲକର ୧,୧୦୩ ହେକ୍ଟର ଓ ଠାକୁରମୁଣ୍ଡା ବ୍ଲକର ୬,୬୩୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ।
ସମୁଦାୟ ପ୍ରାୟ ୩୧,୮୩୫ ହେକ୍ଟର ଜମିକୁ ଏହି ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଇ ଦିଆଯିବ। ବୈଷୟିକ ଅନୁମୋଦନ (Technical Approval) ମିଳିବା ପରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଫଳରେ କେନ୍ଦୁଝର ଜିଲ୍ଲାର ଚାଷୀମାନେ ବ୍ୟାପକ ଭାବେ ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି।

