Sun. Feb 22nd, 2026

ନ୍ୟୁଜ ଡେକ୍ସ: ନୟାଗଡ଼ ଦଶପଲ୍ଲା ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଲୁଟ୍ ହୋଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟାଞ୍ଚଳ ସାକେଣି କେନ୍ଦୁପତ୍ର ଫଡ଼ିରେ ପଶି ଆତଙ୍କ ଖେଳାଇଲେ ୧୦ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଇଥିବା ଅଭିଯୋଗ। କାମ କରୁଥିବା ଲୋକଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଛନ୍ତି ଲୁଟେରା।

ଏନେଇ ଥାନାରେ ଅଭିଯୋଗ କରିଛନ୍ତି କର୍ମଚାରୀ। ସୂଚନା ଅନୁସାରେ ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସାକେଣି କେନ୍ଦୁପତ୍ର ଫଡ଼ିରେ ପହଞ୍ଚିଥିଲେ। ଏହି ସମୟରେ ୮ରୁ ଅଧିକ କର୍ମଚାରୀ ସେଠାରେ କାମ କରୁଥିଲେ। ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରେ ପହଞ୍ଚି ପ୍ରଥମେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ।

ଏହାପରେ ସେଠାରୁ ବସ୍ତା ବସ୍ତା କେନ୍ଦୁପତ୍ର ଲୁଟି ନେବା ସହ କର୍ମଚାରୀଙ୍କ ଦରମା ପାଇଁ ଥିବା ୭ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ୍‌ ବି ଲୁଟି ନେଇଛନ୍ତି ଲୁଟେରା । ଦୁବୃର୍ତ୍ତମାନେ ଲୁଟ୍‌ କରି ଯିବା ପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ପୂରା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହାସହ କର୍ମଚାରୀମାନେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *