Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଯାତାୟତ ସମସ୍ୟା ସମାଧାନ ଏବଂ ସଡ଼କ ଢଞ୍ଚା ବିକାଶକୁ ଗତି ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି। ନୂଆଦିଲ୍ଲୀରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଭେଟରେ ଭୁବନେଶ୍ୱର ଓ ପାଖପାଖି ଅଞ୍ଚଳରେ ବଢୁଥିବା ଯାତାୟତ ଚାପ, ସଡ଼କ ସୁରକ୍ଷା ଓ ଆବଶ୍ୟକ ଢଞ୍ଚାଗତ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।

ସାକ୍ଷାତକାଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ର ପାଇଁ ୩ଟି ମୁଖ୍ୟ ଦାବି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ବଢୁଥିବା ଯାନବାହନ ଚାପକୁ ଦୃଷ୍ଟିରେ ରଖି ବେଗୁନିଆ, ସୁନାଖେଳା ଓ ପୁବୁଶାହୀ ଅଞ୍ଚଳରେ ୩ଟି ବାଇପାସ୍ ନିର୍ମାଣ କରିବା ପାଇଁ ସେ ଦାବି ରଖିଥିଲେ। ଏହା ଦ୍ୱାରା ଜାତୀୟ ରାଜପଥ ଓ ସହର ମଧ୍ୟରେ ଯାତାୟତ ସୁବିଧାଜନକ ହେବା ସହ ସହର ଭିତରର ଟ୍ରାଫିକ୍ ଚାପ ହ୍ରାସ ପାଇବ ବୋଲି ସେ ମତ ପ୍ରକାଶ କରିଥିଲେ। ସେହିପରି ଖୋର୍ଦ୍ଧା-ନୟାଗଡ଼ ରାସ୍ତାକୁ ୪ ଲେନ୍ କରିବା ପାଇଁ ମଧ୍ୟ ସାଂସଦ ଗୁରୁତ୍ୱ ଦେଇ ଦାବି ରଖିଥିଲେ।

ପ୍ରାୟ ୬୫ କିଲୋମିଟର ଦୀର୍ଘ ଏହି ରାସ୍ତା ଦ୍ୱାରା ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ବେଳେ, ରାସ୍ତା ସଙ୍କୁଚିତ ଥିବାରୁ ଦୁର୍ଘଟଣା ଓ ଯାତାୟତ ସମସ୍ୟା ବଢୁଥିବା ସେ ଉଲ୍ଲେଖ କରିଥିଲେ। ୪ ଲେନ୍ ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ଆର୍ଥିକ ବିକାଶକୁ ମଧ୍ୟ ଗତି ମିଳିବ ବୋଲି ସେ କହିଥିଲେ।ଏହାସହ ଜାତୀୟ ରାଜପଥ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ୍ ନିର୍ମାଣ ପାଇଁ ମଧ୍ୟ ସାଂସଦ ଲିଖିତ ଭାବେ ଦାବି ଉପସ୍ଥାପନ କରିଥିଲେ। ଏହି ସ୍ଥାନଗୁଡ଼ିକରେ ରାସ୍ତା କାଟି ଯାତାୟତ କରିବା ସମୟରେ ସ୍ଥାନୀୟ ଲୋକମାନେ ବିପଦ ସମ୍ମୁଖୀନ ହେଉଥିବାରୁ ଅଣ୍ଡରପାସ୍ ନିର୍ମାଣ ଅତ୍ୟାବଶ୍ୟକ ବୋଲି ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ଯେ, ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ୍ ସହ ଏନ୍‌ଏଚ୍ ୫୭ରେ ଅଣ୍ଡରପାସ୍ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ପ୍ରାୟ ୧୧୧ କୋଟି ଟଙ୍କା ବ୍ୟୟରେ ଏହି ବାଇପାସ୍ ଓ ଅଣ୍ଡରପାସ୍ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।ସେହିପରି ଖୋର୍ଦ୍ଧା-ନୟାଗଡ଼ ରାସ୍ତାକୁ ୪ ଲେନ୍ କରିବା ପ୍ରସ୍ତାବ ଯଥାବିଧି ପ୍ରକ୍ରିୟା ଅନୁଯାୟୀ ଆଗକୁ ବଢ଼ାଯିବ ବୋଲି ସାଂସଦ ସ୍ପଷ୍ଟ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହେଲେ ଭୁବନେଶ୍ୱର ଓ ଆସପାସ ଅଞ୍ଚଳରେ ଯାତାୟତ ସୁବିଧା ବଢ଼ିବା ସହ ଲୋକମାନଙ୍କୁ ଦୈନନ୍ଦିନ ଯାତ୍ରାରେ ଆରାମ ମିଳିବ ବୋଲି ଆଶା ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *