Sat. Feb 21st, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ସାରା ଦେଶରେ ଭାରୀ ଆନ୍ଦୋଳନ ହେବାକୁ ଯାଉଛି। ଚାରିଟି ନୂଆ ଶ୍ରମ କୋଡ୍, ବିହନ ବିଲ–୨୦୨୫, ବିଜୁଳି ସଂଶୋଧନ ବିଲ–୨୦୨୫ ଓ ଭିବି ରାମଜି ଆଇନ ରଦ୍ଦ କରିବାକୁ ଦାବି କରି, ସିଆଇଟିୟୁ ସମେତ ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ସଂଗଠନମାନେ ଆସନ୍ତା ୧୨ ତାରିଖରେ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦେଇଛନ୍ତି।

ଏହି ଧର୍ମଘଟର ପ୍ରଭାବ ଓଡ଼ିଶାରେ ମଧ୍ୟ ଦୁର୍ବାର ଭାବେ ପଡ଼ିବ ବୋଲି ସିଟୁର ରାଜ୍ୟ ସମ୍ପାଦକ ମଣ୍ଡଳୀ ବୈଠକରେ ନିଷ୍ପତ୍ତି ହୋଇଛି।ସିଟୁ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ କହିଛନ୍ତି ଯେ, ଓଡ଼ିଶାର ବଡ଼ବିଲ, କୋଇଡା, କାଲଟା, ବଣେଇ, ରାଉରକେଲା, କାଳୁଙ୍ଗା, ଝାରସୁଗୁଡା, ଅନୁଗୁଳ, କଳିଙ୍ଗ ନଗର, ପାରାଦୀପ, ଦାମନଯୋଡ଼ି, ରାୟଗଡ଼ା ସମେତ ସମସ୍ତ ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକମାନେ କାମ ବନ୍ଦ କରିବେ। ଏନଟିପିସି, ନାଲକୋ, ବିଦ୍ୟୁତ, ରେଳ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ପରିବହନ, ବ୍ୟାଙ୍କ ଓ ବୀମା ସେକ୍ଟର ସମେତ ସମସ୍ତ ପ୍ରମୁଖ ସରକାରୀ ଓ ବେସରକାରୀ ଅଫିସରେ ସେଦିନ ତାଲା ଝୁଲିବ। ସହର ଓ ରାଜପଥରେ ପିକେଟିଂ କରି ଶ୍ରମିକମାନେ ନିଜ ଶକ୍ତି ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି। ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଶ୍ରମିକଙ୍କ ଅଧିକାର କ୍ଷୟ କରିବା ପାଇଁ ଚକ୍ରାନ୍ତ ଚାଲାଇଛନ୍ତି। ନୂଆ ଶ୍ରମ କୋଡ୍ ଲାଗୁ ହେଲେ ଶିଳ୍ପ କାରଖାନା ଓ ଖଣିରେ ଶ୍ରମିକ ସଂଗଠନ ଦୁର୍ବଳ ହୋଇଯିବ।

ଦୈନିକ ୮ ଘଣ୍ଟା କାମ ପରିବର୍ତ୍ତେ ୧୨ ଘଣ୍ଟା କାମ କରିବାକୁ ଶ୍ରମିକ ବାଧ୍ୟ ହେବେ। ସର୍ବନିମ୍ନ ମଜୁରୀ ମାତ୍ର ୧୭୮ ଟଙ୍କା ଧାର୍ଯ୍ୟ ହେବ। ଧର୍ମଘଟ କଲେ ୮ ଦିନର ଦରମା କଟାଯିବାର ବ୍ୟବସ୍ଥା ରହିବ। ୨୫୦ରୁ କମ୍ ଶ୍ରମିକ ଥିବା କାରଖାନାରେ ଶ୍ରମ ନିରୀକ୍ଷକ ପ୍ରବେଶ କରିପାରିବେନି ଓ ୫୦ରୁ କମ୍ ଶ୍ରମିକ ଥିଲେ କଣ୍ଟ୍ରାକ୍ଟର ଲେବର ଲାଇସେନ୍ସ ମଧ୍ୟ ଲାଗିବ ନାହିଁ। ଏହା ଦ୍ୱାରା ଶ୍ରମିକ ଶୋଷଣ ଆହୁରି ବଢ଼ିବ ବୋଲି ସେ କହିଛନ୍ତି।ଏହି ସମସ୍ତ ଶ୍ରମିକ ବିରୋଧୀ ନୀତି ବିରୋଧରେ ଦେଶର ପ୍ରାୟ ୫୦ କୋଟି ଶ୍ରମିକ ଓ କର୍ମଚାରୀ ଧର୍ମଘଟରେ ଅଂଶଗ୍ରହଣ କରିବେ ବୋଲି ସିଟୁ ନେତାମାନେ ଦାବି କରିଛନ୍ତି।

ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି ଓ ସମ୍ପାଦକ ପୁଷ୍ପା ଦାସ ରାଜ୍ୟବାସୀଙ୍କୁ ଏହି ଧର୍ମଘଟକୁ ସଫଳ କରିବା ପାଇଁ ସମର୍ଥନ ଓ ସହଯୋଗ ଦେବାକୁ ନିବେଦନ କରିଛନ୍ତି। ୧୨ ତାରିଖରେ ଓଡ଼ିଶା ସମେତ ସାରା ଦେଶରେ ଶ୍ରମିକ ଶକ୍ତିର ବଡ଼ ପ୍ରଦର୍ଶନ ହେବାକୁ ଯାଉଥିବାବେଳେ, ଏହାର ପ୍ରଭାବ ସାଧାରଣ ଜୀବନ ଓ ସେବା ସଂସ୍ଥାଗୁଡ଼ିକ ଉପରେ ଗଭୀର ଭାବେ ପଡ଼ିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *