ନ୍ୟୁଜ ଡେକ୍ସ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ସାରାଦେଶରେ ଜାତିଗତ ଜନଗଣନା କରିବେ ମୋଦୀ ସରକାର । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦି ସରକାର ସାରା ଦେଶରେ ଜାତିଗତ ଜନଗଣନା କରିବେ।
କ୍ୟାବିନେଟ ବୈଠକ ପରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ନିଷ୍ପତ୍ତି ନେଇଛି ଯେ ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ।’ ସରକାର ଏହି ଜନଗଣନାକୁ ସଫଳ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ଦେଶରେ ସାମାଜିକ ଗତିଶୀଳତା ଓ ନ୍ୟାୟ ବଣ୍ଟନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ମେଘାଳୟ ଏବଂ ଆସାମକୁ ସଂଯୋଗ କରୁଥିବା ସିଲଚରରୁ ଶିଲଂ ଏବଂ ଶିଲଂରୁ ସିଲଚର ପର୍ଯ୍ୟନ୍ତ ଏକ ବହୁତ ବଡ଼ ପ୍ରକଳ୍ପ ହାଇ ସ୍ପିଡ୍ କରିଡର ହାଇୱେକୁ ଅନୁମୋଦନ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୨,୮୬୪ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସୁପର କ୍ୟାବିନେଟ୍ ହୋଇଛି। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଏହି କ୍ୟାବିନେଟରେ ସାମିଲ ଅଛନ୍ତି।
