ନ୍ୟୁଜ ଡେକ୍ସ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ।୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଲା ସେହିଭଳି କର୍ଣ୍ଣାଟକ- ତାମିଲନାଡ଼ୁରେ ବି ମୌସୁମୀ ବାୟୁ ପ୍ରବେଶ କରିଥିବା ଜଣାପଡିଛି। ସେହିଭଳି ଓଡ଼ିଶା ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି।
ଏନେଇ ଆଇଏମ୍ଡ଼ି ପକ୍ଷରୁ ସୂଚନା ଜାରି କରାଯାଇଛି। ରାଜ୍ୟରେ ମୌସୁମୀ ଆଗମନ ପାଇଁ ସମସ୍ତ ପରିସ୍ଥିତି ଅନୁକୂଳ ହୋଇଥିବା ବେଳେ ଦେଶରେ ମୌସୁମୀ ବର୍ଷାର ଶୀଘ୍ର ଆଗମନ ହୋଇଛି । ଆଉ ଏହି ମୌସୁମୀ ପ୍ରଣାଳୀ ସହିତ ଲଘୁଚାପ କ୍ଷେତ୍ର ଯୋଗୁଁ, ଗତ ଦୁଇ ଦିନ ମଧ୍ୟରେ କେରଳର ଅନେକ ସ୍ଥାନ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେଉଛି । ତେବେ ଶେଷ ଥର ପାଇଁ ୨୦୦୯ ଏବଂ ୨୦୦୧ ମସିହାରେ କେରଳ ରାଜ୍ୟରେ ଏତେ ଶୀଘ୍ର ମୌସୁମୀ ପହଞ୍ଚିଥିଲା। ସେହି ବର୍ଷ ମେ ୨୩ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ । କେରଳରେ ମୌସୁମୀ ବାୟୁ ଆରମ୍ଭ ହେବାର ସାଧାରଣ ତାରିଖ ହେଉଛି ଜୁନ୍ ୧।
ସେପଟେ ମୌସୁମୀ ପ୍ରଭାବରେ ଏବେ ଦେଶ ତଥା ରାଜ୍ୟରେ ବର୍ଷାର ମଧ୍ୟ ଆଗମନ ହୋଇଛି । ପୂର୍ବରୁ କାଳବୈଶାଖୀ ବର୍ଷା ହେଉଥିବା ତାତିରୁ ଟିକିଏ ଆଶ୍ବସ୍ତି ଦେଇଥିବା ବେଳେ ଏବେ ମୌସୁମୀର ସଅଳ ଆଗମନ ଚାଷୀଙ୍କ ମନରେ ଏବର୍ଷ ଭଲ ନେଇ ନୂଆ ଆଶା ସଂଚାର କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ପ୍ରଭାବରେ ଦକ୍ଷିଣ ରାଜ୍ୟ କେରଳ, ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ସହିତ କୋଙ୍କଣ ଏବଂ ଗୋଆର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ ।
ଏଥିସହିତ ବିଶେଷ କରି ଓଡିଶାର ବିଭିନ୍ନ ସ୍ଥାନରେ ୨୪, ୨୭, ୨୯ ମେରେ ପ୍ରବଳ ବର୍ଷା ନେଇ ଆଇଏମଡି ଆକଳନ କରିଥିବା ବେଳେ ଏବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶା ଛୁଇଁଥାଏ । ତେଣୁ ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗୁଆ କେରଳ ଛୁଇଁବା ପରେ ଓଡ଼ିଶାରେ ବି ଆଗୁଆ ମୌସୁମୀ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।
