ନ୍ୟୁଜ ଡେକ୍ସ :ଓଡିଶା–ଆନ୍ଧ୍ର ସୀମା ବିବାଦ ମଧ୍ୟରେ ଆବାର ପୁଣି ଆନ୍ଧ୍ରପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶ ନେଇ କଳବଳ ଦେଖାଦେଇଛି। ବାରମ୍ବାର ରୋକା ସତ୍ତ୍ୱେ ଆନ୍ଧ୍ରର କିଛି ଅଧିକାରୀ ଗଳାବାଟ ଦେଇ କୋଟିଆ ଅଞ୍ଚଳକୁ ପ୍ରବେଶ କରୁଥିବା ଅଭିଯୋଗ ଆଉଥରେ ଉଠିଛି। ଗତକାଲି ସାଲୁର ସ୍ୱାସ୍ଥ୍ୟ ବିଭାଗର ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ ତଳଗଞ୍ଜେଇ ପଦର ଗାଁ ପହଞ୍ଚି ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଥିଲା।
ସେମାନେ ଗାଁବାସୀଙ୍କୁ ଔଷଧ ବାଣ୍ଟୁଥିବା ବେଳେ ଘଟଣାର ସୂଚନା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପାଇଥିଲା।ଘଟଣାସ୍ଥଳରେ ପହଞ୍ଚିଥିବା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଆନ୍ଧ୍ର ଅଧିକାରୀଙ୍କୁ ତୀବ୍ର ତାଗିଦ ଦେଇଥିଲା।ସେମାନଙ୍କୁ ତୁରନ୍ତ ଜାଗା ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଦଳ ଅଧାରାସ୍ଥାରେ ସ୍ୱାସ୍ଥ୍ୟସେବା ବନ୍ଦ କରି ସ୍ଥାନ ଛାଡି ଫେରିଯାଇଥିଲେ।କିଛି ଦିନ ପୂର୍ବେ ମଧ୍ୟ ଆନ୍ଧ୍ର ଅଧିକାରୀ ଏହି ଅଞ୍ଚଳକୁ ପ୍ରବେଶ କରିଥିବା ଅଭିଯୋଗ ମିଳିଥିଲା। ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆନ୍ଧ୍ରପ୍ରଦେଶ ପ୍ରଶାସନ କୋଟିଆ ଅଞ୍ଚଳରେ ଆଦିବାସୀ ମେଳା ଆୟୋଜନ କରିଥିଲା।
ଏହାକୁ ଓଡ଼ିଶା ପ୍ରଶାସନ ‘କଲ୍ପିତ ଉଦ୍ୟମ’ ଭାବେ ବିବେଚନା କରିଥିଲା।ରାଜ୍ୟ ସରକାର ବାହାର ଅନୁପ୍ରବେଶ ନେଇ ସଚେତନ ରହି କୋଟିଆବାସୀ ଯେପରି ସମସ୍ତ ସରକାରୀ ଯୋଜନା ଓ ସେବାରୁ ବଞ୍ଚିତ ହେବେ ନାହିଁ — ସେଥିପାଇଁ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ ଅଧିକାରୀ ସଜାଗ ଓ ସକ୍ରିୟ ରହିଛନ୍ତି।

