Sat. Feb 28th, 2026

ନ୍ୟୁଜ ଡେକ୍ସ : କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍ ଟୁର୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଡିସେମ୍ବର ୧ ତାରିଖରୁ ଏହି ପ୍ୟାକେଜ୍ ସେବା ଚାଲୁ ହେବ। ଏହି ସମୟରେ ଦୈନିକ ଭୁବନେଶ୍ୱର ଓ ପୁରୀରୁ ସ୍ୱତନ୍ତ୍ର ଏସି ବସ୍ ଚଳାଚଳ କରିବ।ସୂଚନା ଅନୁଯାୟୀ, ବସ୍‌ଗୁଡ଼ିକ ଅପରାହ୍ନ ସାଢ଼େ ୨ଟାରେ ଯାତ୍ରା ଆରମ୍ଭ କରି ରାତି ୧୧ଟାରେ ଫେରିବ। ଏହି ଦିନିକିଆ ପ୍ୟାକେଜ୍ ଟୁର୍‌ରେ ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜଣଙ୍କ ପ୍ରତି ୧୮୪୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ପୁରୀରୁ କୋଣାର୍କ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୧୭୦୦ ଟଙ୍କା ଏବଂ କଟକରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୨୩୬୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହି ସୂଚନା ପର୍ଯ୍ୟଟନ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ ପ୍ରଦାନ କରିଛନ୍ତି।ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକମାନେ କୋଣାର୍କ ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଓ କୋଣାର୍କ ଉତ୍ସବ ଦର୍ଶନ କରିବାର ସୁଯୋଗ ପାଇବେ। ଏହି ବର୍ଷ ୩୬ତମ କୋଣାର୍କ ଉତ୍ସବ ସୂର୍ଯ୍ୟମନ୍ଦିର ପାଦ ଦେଶସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ। ଏଠାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ୮ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଦେଶ–ବିଦେଶର ଖ୍ୟାତିସମ୍ପନ୍ନ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ, କଥକଳି, କୁଚିପୁଡ଼ି, ଭାରତନାଟ୍ୟମ ଓ କଥକ ଭଳି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ।ଏହାସହ ଚନ୍ଦ୍ରଭାଗା ବେଳାଭୂମିରେ ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହେବ।

ଏଥିରେ ଦେଶ ଓ ବିଦେଶର ଶତାଧିକ ବାଲୁକାଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି ଏବଂ ସେମାନେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ବିଷୟବସ୍ତୁ ଉପରେ ଆଧାରିତ ବାଲୁକା ମୂର୍ତ୍ତି ତିଆରି କରିବେ।କୋଣାର୍କ ଉତ୍ସବ ଉପଲକ୍ଷେ ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିରର ଲାଇଟ୍ ଆଣ୍ଡ ସୋ’ ବନ୍ଦ ରହିବ ବୋଲି ମଧ୍ୟ ସୂଚନା ମିଳିଛି। ଓଡ଼ିଶାର ଏହି ଦୁଇ ମହତ୍ତ୍ୱପୂର୍ଣ୍ଣ ଉତ୍ସବକୁ ଦର୍ଶନୀୟ ଓ ସୁଲଭ କରିବା ପାଇଁ ଓଟିଡିସିର ଏହି ପ୍ୟାକେଜ୍ ଟୁର୍ ପର୍ଯ୍ୟଟକମାନଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *