Sat. Feb 21st, 2026

ନ୍ୟୁଜ ଡେକ୍ସ : ପୁରୀ ଜିଲ୍ଲାର ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପବିତ୍ର ଶାମ୍ବଦଶମୀ ଅବସରକୁ ଦୃଷ୍ଟିରେ ରଖି ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଶୁଳ୍କ ଛାଡ କରାଯାଇଛି। ଏହି ନିଷ୍ପତ୍ତିରେ ଭକ୍ତ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି।

ବିଶ୍ବକୁ ରୋଗମୁକ୍ତ କରିବା ଏବଂ ସାରା ବିଶ୍ୱର କଲ୍ୟାଣ କାମନାରେ ଚଳିତବର୍ଷ ମଧ୍ୟ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ଆନୁକୁଲ୍ୟରେ ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞ ଆୟୋଜିତ କରାଯାଇଛି। ଏହି ଅବସରରେ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା ସହ ଧାର୍ମିକ ପରିବେଶରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।କୋଣାର୍କ ସୁରକ୍ଷା ସମିତିର ସଭାପତି ତଥା କୋଣାର୍କ ଏନଏସି କାଉନସିଲର ସୌମ୍ୟସୌରଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ସହ ହୋମଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ ହେବ।

ଧାର୍ମିକ ଆସ୍ଥା ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଏହି ମହାଯଜ୍ଞ ତିନି ଦିନ ଧରି ଚାଲିବ। ପବିତ୍ର ଶାମ୍ବଦଶମୀ ଦିନ ଏହି ବିଶ୍ବ କଲ୍ୟାଣ ସୌର ମହାଯଜ୍ଞର ପୂର୍ଣ୍ଣାହୁତି ହେବ। ଏହି ଧାର୍ମିକ ଅବସରକୁ ସମ୍ମାନ ଜଣାଇ ଆସନ୍ତାକାଲି ଶାମ୍ବଦଶମୀ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ମହାନ ଧାର୍ମିକ ଆୟୋଜନକୁ ନେଇ କୋଣାର୍କ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ, ବହୁ ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆସିବାର ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *