ନ୍ୟୁଜ ଡେକ୍ସ : କୋରାପୁଟ ଜିଲ୍ଲାରେ ଗୋ-ମାଂସ ଜବତ ହେବା ଘଟଣାରେ ଚଞ୍ଚଳ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ପ୍ରାୟ ଏକ କ୍ବିଣ୍ଟାଲ ଗୋ-ମାଂସ ଆମ୍ବାଗୁଡା ପୋଲିସ ଜବତ କରିଛନ୍ତି ଓ ଏହି ଘଟଣା ସହିତ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶବସାନ କୁଲଦୀପ ବୋଲି ଜଣାପଡିଛି, ଯିଏ କେବଡ଼ି ଗାଁର ନିବାସୀ।
ଆଜି ସେ ତାଙ୍କ ବାଇକ୍ ଯୋଗେ ଗୋ-ମାଂସ ବିକ୍ରି କରିବା ପାଇଁ ପୁଟରା ଗାଁକୁ ଯାଇଥିଲେ। ଗାଁବାସୀ ମାନଙ୍କୁ ସନ୍ଦେହ ହେବା ପରେ ସେମାନେ ତାକୁ ଓଗାଳି ପଚାରିଥିଲେ ଓ ଶେଷରେ ଶବସାନ ସ୍ୱୀକାର କରିଥିଲେ ଯେ ସେ ଗୋ-ମାଂସ ବିକ୍ରି କରୁଥିଲେ।ଏହାପରେ ଗାଁବାସୀ ମାନେ ତାକୁ ଧରି ଆମ୍ବାଗୁଡା ପୋଲିସଙ୍କ ହାତକୁ ଜିମା ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ଗୋ-ମାଂସ ଜବତ କରି ଏକ ମାମଲା ରୁଜୁ କରିଛନ୍ତି ଓ ଅଭିଯୁକ୍ତଙ୍କୁ ଗିରଫ କରି ଅନୁସନ୍ଧାନ ଆରମ୍ଭ କରିଛନ୍ତି।
ତେବେ ଏହି ପ୍ରକାର ଘଟଣା କେବଳ କୋରାପୁଟରେ ନୁହେଁ। ଗତ କିଛି ମାସ ଧରି ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଗୋରୁ ଚାଲାଣ ଓ ଗୋ-ମାଂସ ବିକ୍ରି ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ପୋଲିସ ଅଧିକ ସଚେତନ ହୋଇ ଏହି ଅବୈଧ କାରବାର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି।

