Sun. Feb 22nd, 2026

ନ୍ୟୁଜ ଡେକ୍ସ : ଯାତ୍ରା ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଅଭିନେତା ପୀୟୂଷ ତ୍ରିପାଠୀଙ୍କ ଉପରେ ଲାଗିଥିବା ମଞ୍ଚ ଚଢ଼ିବା ସମ୍ବନ୍ଧୀୟ ଅନ୍ତରୀଣ କଟକଣାକୁ ଭୁବନେଶ୍ବର କୋର୍ଟ ଉଠାଇଦେଇଛନ୍ତି। ଏହା ସହ ପୀୟୂଷ ପୁଣିଥରେ ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଅନୁମତି ପାଇଛନ୍ତି।ପୀୟୂଷଙ୍କ ଓକିଲଙ୍କ ସୂଚନା ଅନୁସାରେ, ଆଜିର ଶୁଣାଣିରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇ ଅସ୍ଥାୟୀ ରହିତାଦେଶକୁ ବାତିଲ କରିଛନ୍ତି।

ଚୁକ୍ତି ଖିଲାପକୁ ନେଇ ଉପୁଜିଥିବା ବିବାଦ ପରେ ପୀୟୂଷଙ୍କୁ ମଞ୍ଚରୁ ଦୂରେଇ ରହିବାକୁ ପଡ଼ିଥିଲା।ସୂଚନା ଅନୁସାରେ, ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ ପୀୟୂଷଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ଥିଲା ଯେ, ପୀୟୂଷ ଚୁକ୍ତିର ସର୍ତ୍ତ ଭଙ୍ଗ କରି ଅନ୍ୟ ଯାତ୍ରା ପାର୍ଟିକୁ ଯାଇଥିଲେ। ଏହାକୁ ନେଇ କୋର୍ଟ ଶୁଣାଣି ଚାଲିଥିବା ସମୟରେ ପୀୟୂଷଙ୍କ ଉପରେ ମଞ୍ଚ ଚଢ଼ିବାରେ କଟକଣା ଲଗାଇଥିଲେ। ତେବେ, ଆଜି କୋର୍ଟ ରହିତାଦେଶ ଉଠାଇବା ପରେ ପୀୟୂଷ ପୁଣିଥରେ ଯାତ୍ରା ମଞ୍ଚରେ ଫେରିବେ।

ବର୍ତ୍ତମାନ ସେ “ସିଂହବାହିନୀ” ଯାତ୍ରା ଦଳରେ ଅଭିନୟ କରୁଥିବାବେଳେ, ଆଗକୁ ଖଣ୍ଡଗିରି ଯାତ୍ରା ମହାସମରରେ ତାଙ୍କ ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିବ।ଏହି ଖବର ପ୍ରଚାର ପାଇବା ସହ ପୀୟୂଷଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପୁନଃପ୍ରବେଶକୁ ନେଇ ଶୁଭେଚ୍ଛା ଓ ସମର୍ଥନର ବାର୍ତ୍ତା ଭରିଯାଇଛି।

Leave a Reply

Your email address will not be published. Required fields are marked *