ନ୍ୟୁଜ ଡେକ୍ସ: ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ମନୀଷଙ୍କୁ ଜାମିନ ପ୍ରଦାନ କଲେ ମାଲକାନଗିରି SDJM କୋର୍ଟ । ୫୦ ହଜାର ଟଙ୍କାର ୨ଟି ମୁଚାଲିକା ବଦଳରେ ତାଙ୍କୁ ଜାମିନ ମିଳିଛି । ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି । ମନୀଷ ଅଗ୍ରୱାଲ ଆତ୍ମସମର୍ପଣ ନକରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଏସଡିଜେଏମ କୋର୍ଟରେ ତୁରନ୍ତ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନି ସେ ଏସଡିଜେଏମ୍ କୋର୍ଟରେ ଆଜି ଆତ୍ମସମର୍ପଣ କରିଥିଲେ । ସେ ଆତ୍ମସମର୍ପଣ କରୁଥିବା ନେଇ କେହି ଅବଗତ ନଥିଲେ । ହଠାତ୍ ଶ୍ରୀ ଅଗ୍ରୱାଲ ଆତ୍ମସମର୍ପଣ କରିବା ପରେ ତାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ । ୫୦ ହଜାର ଲେଖାଏଁ ଦୁଇଟି ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଏହି ମାମଲା ଉପରେ ଏବେ କେସ୍ ଚାଲିବା ନେଇ କହିଛନ୍ତି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଓକିଲ ।
ସୂଚନାଯୋଗ୍ୟ, ମନୀଷ ଅଗ୍ରୱାଲ ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ୨୦୧୯ ଡିସେମ୍ବର ମାସରେ ତାଙ୍କ ଅଫିସରୁ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କର ମୃତଦେହ ତା’ପରଦିନ ସତୀଗୁଡ଼ା ଡ୍ୟାମରୁ ମିଳିଥିଲା । ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା ଓ ପରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା ।
